ଫେରସ୍ତ ନିଅ ନଚେତ୍…’ ଭାରତରୁ ରପ୍ତାନି ଆମ୍ବ ରଖିଲାନି ଆମେରିକା

ଭାରତର 15ଟି ଆମ୍ବ ବୋଝେଇ କଣ୍ଟେନର ପ୍ରବେଶ କରିବାକୁ ଅନୁମତି ଦେଲା ନାହିଁ ଆମେରିକା ।

ୱାଶିଂଟନ: ଭାରତୀୟ ରପ୍ତାନିକାରୀଙ୍କୁ ଆମେରିକାର ଝଟକା । କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ 15 କଣ୍ଟେନର ଆମ୍ବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଆମେରିକୀୟ ଅଧିକାରୀ । ଯଦ୍ବାରା 4 କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ଭାରତୀୟ ବ୍ୟବସାୟୀଙ୍କୁ ।

ET ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ସାମଗ୍ରୀ ଆକାଶ ମାର୍ଗରେ ଆମେରିକାକୁ ପଠାଯାଇଥିଲା। କିନ୍ତୁ ଆମେରିକା କର୍ତ୍ତୃପକ୍ଷ ଏହି ଆମ୍ବକୁ ପ୍ରତ୍ୟାଖ୍ୟାନ କରିବା ସହ ଆମେରିକାରେ ନଷ୍ଟ କରିବାକୁ କିମ୍ବା ଏହାକୁ ପୁଣି ଥରେ ଭାରତକୁ ଫେରାଇ ନେବାକୁ ରପ୍ତାନିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯେହେତୁ ଆମ୍ବ ବେସିଦିନ ରହିଲେ ତାହା ନଷ୍ଟ ହୋଇଯିବ । ଏପଟେ ତାକୁ ଫେରାଇ ଆଣିବାରେ ବି ବିପୁଳ ଅର୍ଥ ଖର୍ଚ୍ଚ ହେବ, ତେଣୁ ସମସ୍ତ ରପ୍ତାନିକାରୀ ଏହାକୁ ଆମେରିକାରେ ହିଁ ନଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ।

ମୁମ୍ବାଇରୁ ରପ୍ତାନି ପୂର୍ବରୁ ମେ’ 8 ଓ 9 ତାରିଖରେ ନଭି ମୁମ୍ବାଇରେ ଥିବା ୟୁନାଇଟେଡ୍‌ ଷ୍ଟେଟ୍ସ ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍ଚର (ୟୁଏସ୍‌ଡିଏ) ପ୍ରତିନିଧିଙ୍କ ତତ୍ତ୍ୱାବଧାନରେ ଆମ୍ବଗୁଡ଼ିକୁ ରେଡିଏଶନ୍‌ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟା ଜରିଆରେ ଯାଞ୍ଚ କରାଯାଇଥିଲା। ପିପିକ୍ୟୁ ୨୦୩ ଫର୍ମର ଆବଶ୍ୟକତା ଅନୁସାରେ ଉକ୍ତ ପ୍ରକ୍ରିୟାରେ ଆମ୍ବରେ କୀଟାଣୁନାଶ କରି ଏହାକୁ ଅଧିକ ସମୟ ସତେଜ ରଖିବା ସକାଶେ ବିକିରଣର ନିୟନ୍ତ୍ରିତ ଡୋଜ୍‌ ଦିଆଯାଇଥାଏ। ଆମେରିକାକୁ କୌଣସି ଫଳ ରପ୍ତାନି କରିବାକୁ ହେଲେ ଏହି ପ୍ରକ୍ରିୟା ଆପଣାଇବା ବାଧ୍ୟତାମୂଳକ କରାଯାଇଛି। ଏହା କରାଯିବା ସତ୍ତ୍ୱେ ଆମେରିକୀୟ ଅଧିକାରୀମାନେ ପିପିକ୍ୟୁ ୨୦୩ ଫର୍ମରେ ତ୍ରୁଟି ଥିବା ଦର୍ଶାଇ କଣ୍ଟେନରଗୁଡ଼ିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ଏହି ଘଟଣା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଶ୍ୱରେ ଭାରତୀୟ ଆମ୍ବର ଚାହିଦା ରହିଥିବାବେଳେ ଆମେରିକାର ଏପରି ପ୍ରତ୍ୟାଖ୍ୟାନ ଯୋଗୁ ବ୍ୟବସାୟୀମାନଙ୍କୁ ଝଟ୍‌କା ଲାଗିଛି। ଆଗାମୀ ଋତୁରେ ଏପରି ସମସ୍ୟା ଏଡ଼ାଇବା ଲାଗି ସେମାନେ ଆହୁରି ଅଧିକ ପ୍ରସ୍ତୁତ ହେବେ ବୋଲି କହିଛନ୍ତି।