fbpx

ରାହୁଲ କହିଥିଲେ ଭାରତ ଏକ ରାଷ୍ଟ୍ର ନୁହେଁ, ଏବେ ୪୧ ହଜାର ଟଙ୍କିଆ ବିଦେଶୀ ଟି-ଶାର୍ଟ ପିନ୍ଧି ଦେଶକୁ ଯୋଡ଼ିବେ କେମିତି, କଂଗ୍ରେସ ଉପରେ ବର୍ଷିଲେ ଶାହ

ନୂଆଦିଲ୍ଲୀ: ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ଯୋଧପୁର ସ୍ଥିତ ‘ବୁଥ ଅଧ୍ୟକ୍ଷ ସଂକଳ୍ପ ମହାସମ୍ମେଳନ’ରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ କଂଗ୍ରେସ ଉପରେ ବିଷୋଦଗାର କରିଛନ୍ତି । ରାଜସ୍ଥାନରେ କଂଗ୍ରେସ ଶାସନ ସମୟରେ ବିକାଶର କାର୍ଯ୍ୟଧାରା ନିମ୍ନମୁଖୀ ହୋଇଛି । ତେଣୁ ୨୦୨୩ରେ ହେବାକୁ ଥିବା ବିଧାନସଭା ଓ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଜିତାଇବାକୁ ଶାହ ଅପିଲ କରିଛନ୍ତି ।

ଶାହ କହିଛନ୍ତି, ବର୍ତ୍ତମାନ ସମୟରେ ଦେଶରେ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ରହିଛି । ଯଦି ଏହି ଦୁଇ ରାଜ୍ୟ ବିଜେପି ହାତକୁ ଚାଲିଯାଏ ତେବେ କଂଗ୍ରେସ ପାଖରେ ଆଉ କିଛି ରହିବ ନାହିଁ । ବର୍ତ୍ତମାନ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରାରେ ବାହାରିଛନ୍ତି । ମାତ୍ର ଦୁଃଖର କଥା ରାହୁଲ ବାବା ୪୧ ହଜାର ଟଙ୍କିଆ ବିଦେଶୀ ଟି-ଶାର୍ଟ ପରିଧାନ କରି ଦେଶକୁ ଯୋଡ଼ିବାକୁ ପ୍ରୟାସ କରୁଛନ୍ତି ।

ଭାରତ ଏକ ରାଷ୍ଟ୍ର ନୁହେଁ ବୋଲି ଅତୀତରେ ରାହୁଲ ବାବା ନିଜ ଭାଷଣରେ କହିଥିଲେ । ମୁଁ ବୁଝିପାରୁନାହିଁ ରାହୁଲ ବାବା କେଉଁ ପୁସ୍ତକ ପଢ଼ି ଏହି ବୟାନ ଦେଇଥିଲେ । ଏହା ହେଉଛି ସେହି ରାଷ୍ଟ୍ର ଯାହାର ରକ୍ଷା ପାଇଁ ଲକ୍ଷ ଲକ୍ଷ ଦେଶପ୍ରେମୀ ନିଜ ଜୀବନକୁ ବଳିଦାନ ଦେବାକୁ ପଛାଇ ନଥିଲେ । ଭାରତ ଯୋଡ଼ିବା ଯାତ୍ରା ପୂର୍ବରୁ ରାହୁଲ ପ୍ରଥମେ ଭାରତର ଇତିହାସ ପଢ଼ିବା ନିହାତି ଦରକାର ।

ଏଥିସହିତ ଶାହ କହିଥିଲେ, ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ଅଶୋକ ଗେହଲଟ ଓ ରାହୁଲ ଜନତାଙ୍କୁ ବଡ଼ ବଡ଼ ଆଶ୍ୱାସନା ଦେଇଥିଲେ । ସେମାନଙ୍କର ପୂର୍ବ ପ୍ରତିଶ୍ରୁତି ଆଜି କୁଆଡ଼େ ଗଲା । ଆଜି ଭାଜପା କଂଗ୍ରେସକୁ ୫ ବର୍ଷ ଶାସନର ହିସାବ ମାଗୁଛି । ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ମାଫ, ଯୁବକଙ୍କୁ ୩୫୦୦ ଟଙ୍କା ବେରୋଜଗାରୀ ଭତ୍ତା, ୨୦ ଲକ୍ଷ ଯୁବକଙ୍କୁ ରୋଜଗାର ପ୍ରଦାନ କୁଆଡ଼େ ଗଲା । ରାଜସ୍ଥାନରେ ଆଜି ବେରୋଜଗାରୀ ହାର ୫.୪ରୁ ୩୨ ପ୍ରତିଶତକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.