fbpx

୧୦୫ ବର୍ଷ ବୟସରେ ଚତୁର୍ଥ ପାସ୍ କରିଥିବା ଅମ୍ମାଙ୍କ ଦେହାନ୍ତ, ମୋଦୀ କରିଥିଲେ ପ୍ରଶଂସା

ନୂଆଦିଲ୍ଲୀ: କେରଳରେ ସାକ୍ଷରତା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ସବୁଠାରୁ ବୟସ୍କ ବୃଦ୍ଧା ଭଗୀରଥୀ ଅମ୍ମାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୭ ବର୍ଷ ବୟସ ହୋଇଥିଲା । ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପରିବାର ଲୋକ କହିଛନ୍ତି ଯେ ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ବୁଧବାର ସେ ତାଙ୍କ ଘରେ ପ୍ରାଣତ୍ୟାଗ କରିଥିଲେ । ଭଗୀରଥୀ ଅମ୍ମା ୧୦୫ ବର୍ଷ ବୟସରେ ସାକ୍ଷରତା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ଆଉ ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ ।

କୋଲ୍ଲମ ଜିଲ୍ଲାର ପ୍ରକ୍କୁଲମ ନିବାସୀ ଆମ୍ମାଙ୍କୁ ମହିଳା ସଶକ୍ତୀକରଣ ପାଇଁ ତାଙ୍କର ଅସାଧାରଣ ଯୋଗଦାନ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିଷ୍ଠିତ ନାରୀ ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଥିଲା । ଭଗୀରଥୀ ଆମ୍ମା ୨୦୧୯ରେ ରାଜ୍ୟ ସାକ୍ଷରତା ମିଶନ ଦ୍ୱାରା ଆୟୋଜିତ ଚତୁର୍ଥ ଶ୍ରେଣୀ ପରୀକ୍ଷାର ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସବୁଠାରୁ ପୌଢ଼ା ଛାତ୍ରୀ ଭାବେ ଇତିହାସ ରଚିଥିଲେ ।

ଅମ୍ମା ୯ବର୍ଷ ବୟସରେ ପାରିବାରିକ ସମସ୍ୟା କାରଣରୁ ତାଙ୍କର ପାଠପଢ଼ା ଛାଡିଥିଲେ । ସେପଟେ ତାଙ୍କର ପାଠ ପ୍ରତି ଏହି ଆଗ୍ରହ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ । ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ତାଙ୍କର ପ୍ରଂଶସା କରିଥିଲେ । ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ସେ ୧୦ମ ପରୀକ୍ଷା ମଧ୍ୟ ପାସ୍ କରିବାକୁ ଚାହୁଥିଲେ ।

Get real time updates directly on you device, subscribe now.