Jammu Kashmir Blast: ଯବାନଙ୍କ ଗୋଡ଼ ଲାଗି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୬ ଯବାନ ଆହତ
ଜମ୍ମୁ-କାଶ୍ମୀରର ରାଜୌରୀର ନୌଶେରା ସେକ୍ଟରରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ 6 ଜଣ ଯବାନ ଆହତ ହୋଇଛନ୍ତି।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରାଜୌରୀର ନୌଶେରା ସେକ୍ଟରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ଛଅ ଜଣ ଯବାନ ଆହତ ହୋଇଥିବା ସୂଚନା ରହିଛି । ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ LOC ନୌଶେରା ସେକ୍ଟର ନିକଟରେ ହୋଇଥିଲା।
କେମିତି ହେଲା ବିସ୍ଫୋରଣ- ଅଧିକାରୀମାନେ କହିଛନ୍ତି ଯେ ସକାଳ ପ୍ରାୟ ୧୦.୪୫ ସମୟରେ ନୌଶେରା ସେକ୍ଟରର ଖାମ୍ବା ଦୁର୍ଗ ନିକଟରେ ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ, ଜଣେ ଯବାନ ଭୁଲବଶତଃ ଏକ ଲ୍ୟାଣ୍ଡମାଇନ୍ ଉପରେ ଚାଲିଯାଇଥିଲେ । ଏହାପରେ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା ।
ଏ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ ଆହତ ଯବାନମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଥିବା କୁହାଯାଉଛି ।
ଅଳ୍ପକେ ବର୍ତ୍ତିଲା ବଡ଼ ଅଘଟଣ- ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖା ନିକଟସ୍ଥ ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିଛାଯାଇଛି, ଯାହା କେତେକ ସମୟରେ ବର୍ଷା ଯୋଗୁଁ ଧୋଇ ହୋଇଯାଏ, ଯାହା ଫଳରେ ଏପରି ଦୁର୍ଘଟଣା ଘଟିଥାଏ ।
ଜାନୁଆରୀ ୪ ତାରିଖରେ ବାନ୍ଦିପୁରରେ ଦୁର୍ଘଟଣା ଘଟିଥିଲା- ଜାନୁଆରୀ ୪ ତାରିଖରେ ଜମ୍ମୁ ଓ କାଶ୍ମୀରର ବାନ୍ଦିପୁରରେ ଏକ ସେନା ଟ୍ରକ୍ ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଚାରି ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଯବାନ ଆହତ ହୋଇଥିଲେ ।