fbpx

ସ୍ୱାଧୀନତା ଦିବସ ପାଳନ ତ ଦୂରର କଥା, ଏଠି ଖଣ୍ଡେ ତ୍ରିରଙ୍ଗା ପତାକା ବି ଉଡି ପାରିଲା ନାହିଁ

ଓଡିଶା ଭାସ୍କର; ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ଯାହାକୁ ନେଇ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ସାରା ଦେଶବାସୀ । ସକାଳର ନୂଆ ସୁରୁଜରେ ଭାରତ ମାତା ଫରଫର କରି ଉଡାଇଛି ତାର ତ୍ରିରଙ୍ଗା ପତାକା । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରୁ ରାଜ୍ୟସ୍ତରୀୟ ଆରମ୍ଭ କରି ଲାଲକିଲ୍ଲାର ଜାତୀୟ ସ୍ତରୀୟ ଯାଏଁ ଏହା ବଡ଼ ଧୁମଧାମରେ ପାଳନ କରାଯଇଛି । ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଶୁଭୁଛି ଭାରତ ମାତାର ଜୟ ଗାନ । ମାତ୍ର ଗୋଟିଏ ସ୍ଥାନରେ ପତାକା ଉତ୍ତୋଳନ କରାଯାଇନଥିବା ଦେଖିବାକୁ ମିଳିଛି । ଯାହା ସାରା ଦେଶ ପାଇଁ ଏକ ନିନ୍ଦନୀୟ ଘଟଣା ।

ଦେବଗଡ଼ ଜିଲ୍ଲା ରିଆମାଳରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇ ନାହିଁ । ଫଳରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ରିଆମାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଏହାକୁ ଆୟୋଜନ କରାଯାଉ ଥିବା ବେଳେ ଚଳିତ ବର୍ଷ କେଉଁ କାରଣରୁ ଜାତୀୟ ପରମ୍ପରାକୁ ଭଙ୍ଗ କରାଯାଇଛି ତାକୁ ନେଇ ବିବାଦ ଦେଖା ଦେଇଛି । ସ୍ୱାଧୀନତା ଦିବସ ପାଳନ ତ ଦୂରର କଥା, ଏଠି ଖଣ୍ଡେ ତ୍ରିରଙ୍ଗା ପତାକା ବି ଉଡି ପାରିଲା ନାହିଁ ।

ଏନେଇ ରିଆମାଳ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନଙ୍କୁ ପଚାରିବାରୁ ସବୁ ବର୍ଷ ଭଳି ଚଳିତ ବର୍ଷ‌ ମଧ୍ୟ ପାଳନ ହେବ ବୋଲି ବିଡ଼ିଓ କହିଥିବା ପ୍ରକାଶ କରିଥିଲେ । କିନ୍ତୁ ବିଡ଼ିଓ ଦିବ୍ୟଶଙ୍କର ଜୟପୂରିଆ କହିଛନ୍ତି, ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଗଲା ବେଳେ ଛାତ୍ରଛାତ୍ରୀମାନେ ଘରକୁ ପଳେଇଲେ ବୋଲି ରିଆମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାତ୍ର କହିବାରୁ କାର୍ୟ୍ୟକ୍ରମ ବନ୍ଦ କରାଯାଇଥିଲା । ଅନ୍ୟପଟରେ ଏ ବାବଦରେ ପ୍ରଧାନ ଶିକ୍ଷୟିତ୍ରୀ ପାତ୍ରଙ୍କୁ ପଚାରିବାରୁ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା । ସମସ୍ତ ବିଦ୍ୟାଳୟକୁ ପଚାରିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇ ନଥିବା ଜଣାପଡ଼ିଛି ।

ତେବେ ଏଠାରେ ତ୍ରୁଟି ଯାହାର ବି ହେଉନା କାହିଁକି ସାଧାରଣତଃ ଜାତୀୟ ପତାକାଟିଏ ଯିଏ କେହି ବି ଏହି ସ୍ଥାନରେ ଉଡାଇ ପାରିଥାନ୍ତେ । କିନ୍ତୁ ନିଜର ଖାମଖିଆଲ ମନୋଭାବ ପାଇଁ ଆଜି ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ଏହା ଉପରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.