ଗୋଟିଏ ଗୋଡ଼ରେ ଲଢୁଛନ୍ତି ଜୀବନ ଯୁଦ୍ଧ, ପୋଲିଓରେ ହରାଇଥିଲେ ଗୋଡ଼; ପଢ଼ନ୍ତୁ ପୂରା ଘଟଣା…

ଅହମ୍ମଦାବାଦ(ଓଡ଼ିଶା ଭାସ୍କର): ଆମେ ସମସ୍ତେ ସ୍ୱପ୍ନ ଦେଖୁ ଆଉ ତାହା ପୂରଣ କରିବା ପାଇଁ ଲଢୁ । ଏଭଳି ଇଛାଶକ୍ତି ଆମ ଭିତରେ ଲୁଚି ରହିଛି । ଏହି ଶକ୍ତିକୁ ଉଜ୍ଜୀବୀତ କରିବା ପାଇଁ ଆମକୁ କେବଳ ସାହସ ଏବଂ ସଂକଳ୍ପବଦ୍ଧ ହେବା ଆବଶ୍ୟକ ରହିଛି । ଆଜି ଆପଣଙ୍କୁ ଏଭଳି ଜଣଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଶୁଣିଲେ ହୁଏତ ଆପଣ ଦୁଇଗୁଣା ସାହାସ ଜୁଟାଇ ପାରିବେ ।

ଫଟୋରେ ଆପଣ ଦେଖୁଥିବା ନାରୀ ଜଣଙ୍କ ହେଉଛନ୍ତି ୩୮ ବର୍ଷୀୟା ଅଙ୍କିତା । ଅଙ୍କିତା ହେଉଛନ୍ତି ଅହମ୍ମଦାବାଦର ପ୍ରଥମ ଦିବ୍ୟାଙ୍ଗ ମହିଳା ଅଟୋ ଡ୍ରାଇଭର । ତେବେ ସାରା ଦେଶ ପାଇଁ ପାଲଟିଛନ୍ତି ଆଦର୍ଶ ଓ ଅନନ୍ୟ ପ୍ରେରଣାର ଉତ୍ସ । ତାଙ୍କ ଜୀବନର ସଂଘର୍ଷମୟ ପଥ ସାଧାରଣରେ ଲୁହ ନିଗାଡ଼ି ଦେବ । ଛାତି ଥରାଇ ଦେବ । ଦୁଃଖ ପଥର ଯାତ୍ରା ସମ୍ପର୍କରେ ଅଙ୍କିତା କହିଛନ୍ତି ଯେ ପୋଲିଓ ଯୋଗୁଁ ମୁଁ ମୋର ଡାହାଣ ଗୋଡ଼ ହରାଇଥିଲି । ସେତେବେଳେ ମୋତେ ମାତ୍ର ବର୍ଷଟିଏ ହୋଇଥାଏ ଦୁନିଆ ଦେଖିବାର । ଗୋଡ଼କୁ କାଟି ଦିଆଗଲା ଆଉ ଗୋଟିଏ ଗୋଡ଼ ହିଁ ଦୁନିଆ ଆଗରେ ଛିଡ଼ା ହେବାକୁ ମୋର ସମ୍ଭଳ ଥିଲା । ବହୁ ବାଧାବିଘ୍ନ ସହି ପରିବାର ସହଯୋଗରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ କରପାରିଲି । କିନ୍ତୁ ଏଦୁନିଆର କେହି ମୋତେ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କି ଉତ୍ସାହିତ କରିନଥିଲେ ବୋଲି ଅଙ୍କିତା କହିଛନ୍ତି । ଏଭଳି ସ୍ଥିତିରେ ୨୦୦୯ରେ ଅଙ୍କିତା ଗୁଜରାଟର ପଲିଟାନରୁ ଅହମଦାବାଦ ବାହାରିଥିଲେ ଚାକିରି ଖୋଜିବାକୁ। ତେବେ ଅନେକ ଇଣ୍ଟରଭିୟୁରେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ତେବେ ଶିକ୍ଷାଗତ ଯୋଗ୍ୟତା ପାଇଁ ନୁହେଁ, ବରଂ ସେ ଦିବ୍ୟାଙ୍ଗ ବୋଲି କେହି ତାଙ୍କୁ ସୁଯୋଗ ଦେଲେ ନାହିଁ । ଏପରିକି ତାଙ୍କୁ ଚାକିରି ଦେଲେ ସଂସ୍ଥାର ରେପୁଟେସନରେ ବାଧା ଉପୁଜିବ ବୋଲି ଅନେକ କହିଥିଲେ । କିନ୍ତୁ ସବୁ ପରେ ମଧ୍ୟ ଅଙ୍କିତା ହରାଇନଥିଲେ ମନୋବଳ ।

୭ ଜଣଙ୍କୁ ନେଇ ପରିବାର ଏବଂ ବଡ଼ ସନ୍ତାନ ଭାବରେ ଅଙ୍କିତାଙ୍କ ଦାୟିତ୍ୱଭାର କିଛି ଅଧିକା ରହିଥିଲା । ବହୁଚେଷ୍ଟା ପରେ ମଧ୍ୟ କୌଣସି କଲ୍ ସେଣ୍ସର, ରିଏଲ୍ ଇଷ୍ଟେଟ୍ ଫାର୍ମ କିମ୍ବା ହୋଟେଲଗୁଡିକରେ ସୁଯୋଗ ମିଳିନଥିଲା । କିନ୍ତୁ ଜଣେ ଗୃହରକ୍ଷୀ ଭାବେ ସୁଯୋଗ କିଛି ମିଳୁଥିଲା । କିନ୍ତୁ କୌଣସି ଉପାୟ ନଥିବାରୁ ସେଥିରେ ଅଙ୍କିତା କିଛିଦିନ ଆଡଜଷ୍ଟ କରିନେଉଥିଲେ । କିନ୍ତୁ ତାଙ୍କର ଯୋଗ୍ୟତା ବା ସାମର୍ଥ୍ୟ ସହ ସେଭଳି ଚାକିରି ଯଥାର୍ଥ ହେଉନଥିଲା । ଫଳରେ ନିଜ ଇଚ୍ଛା ଓ ସ୍ୱାଧୀନତାର ଜୀବନ ଜୀଇଁବା ପାଇଁ ତାଙ୍କୁ ଅନ୍ତରରୁ ଇଚ୍ଛାଶକ୍ତ ଜାଗୃତ ହେଉଥିଲା । ସେ କହିଛନ୍ତି ଯେ ୨୦୧୯ରେ ତାଙ୍କ ବାପା ଅନ୍ତନଳୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବାଧ୍ୟହୋଇ ସେ ନିଜ ଜୀବନକୁ ବଦଳାଇବାକୁ ନିଷ୍ପତ୍ତି ନେଇଥଲୋ । ବାପାଙ୍କ ଯତ୍ନ ନେବା ସହ ନିଜର ଅଧୀନରେ ନିଜ ଇଛାରେ କାମ କରିବାକୁ ନିଷ୍ପତ୍ତି ନେଇଗଲେ। ଟଙ୍କାର ଆବଶ୍ୟକ ଥିଲା କିନ୍ତୁ କାହାର ଦୟାରେ କିମ୍ବା କାହାଠୁ ଗାଳି ଶୁଣି ଆଉ ଚାକିରି କରିବାକୁ ଇଛାନଥିଲା । ସ୍ୱାଭିମାନରେ ବଞ୍ଚିବାକୁ ଇଛାଥିଲା । ତେଣୁ ସେ ନିଜେ କିଛି ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ ସେହି ବର୍ଷ  । ଜଣେ ବନ୍ଧୁ ଏବଂ ସାଥୀ ଅଟୋ ଡ୍ରାଇଭର ଲାଲଜୀ ବାରୋଟଙ୍କ ସାହାଯ୍ୟରେ ଅଟୋ-ରିକ୍ସା ଚଳାଇବା ଆରମ୍ଭ କରିଦେଲେ । ସେ ବି ଜଣେ ଭିନ୍ନକ୍ଷମ ଥିଲେ, ସେ ଡ୍ରାଇଭିଂ ଶିଖିବାରେ ସାହାଯ୍ୟ କଲେ । ଏପରିକି ଏକ ହାତ ଚାଳିତ ବ୍ରେକ୍ କୁ କଷ୍ଟୋମାଇଜ୍ ହୋଇଥିବା ଏକ ଅଟୋ-ରିକ୍ସା କରାଇଦେବାରେ ମଧ୍ୟ ସାହାଯ୍ୟ କରିଥିଲେ । ଆଉ ଅଟୋ ରିକ୍ସା ଚଳାଇବା ପରେ ଅଙ୍କିତା ତାଙ୍କ ପୂର୍ବ ଚାକିରି ଅପେକ୍ଷା ବେଶ୍ ଅଧିକ ଦୁଇପଇସା ରୋଜଗାର କରିପାରୁଛନ୍ତି । ତା ସହ ରୋଜଗାରକୁ ବଢ଼ାଇବା ପାଇଁ ସେ ଏକ କ୍ୟାବ ଏଗ୍ରିଗେଟର ପ୍ଲାଟଫର୍ମରେ ମଧ୍ୟ ଯୋଗ ଦେଇଛନ୍ତି । ସମ୍ପ୍ରତି ଅଙ୍କିତା ମାସକୁ ପ୍ରାୟ ୨୫,୦୦୦ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି  ।

ଆଜି ସେ କେବଳ ତାଙ୍କ ପରିବାରର ପାଇଁ ଅନ୍ନଦାତା ନୁହନ୍ତି କି କେବଳ ବାପାଙ୍କ ଗେହ୍ଲା ଝିଅ ହେଇକି ନାହାନ୍ତି। ବରଂ ସମାଜ ପାଇଁ ଗୋଟିଏ ଆଶା ଏବଂ ସକରାତ୍ମକତାର ଆଲୋକ ପାଲଟି ଯାଇଛନ୍ତି । ଆଶା କରୁଛୁ ଅଙ୍କିତାଙ୍କ ଏହି ବାସ୍ତବ କାହାଣୀ ଅନ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାରେ ସହାୟକ ହେବ ।