fbpx

ମେହୁଲ ଚୋକସିକୁ ଆଉ ଏକ ଝଟକା, ଆଇଟି ବିଭାଗ ଜବତ କଲା ୧୦୦ ଏକର ଜମି

ମୁମ୍ବାଇ: ପ୍ରାୟ ୧୩,୫୦୦ କୋଟିର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ପଳାତକ ମେହୁଲ ଚୋକସିର ୧୦୦ ଏକର ଜମି ଜବତ କରିଛି ଆୟକର ବିଭାଗ। ପ୍ରାୟ ୫୦ ଖଣ୍ଡରେ ଏହି ଜମି ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଇଗତପୁରୀରେ ରହିଛି। ଏହାର ମୂଲ୍ୟ ୭୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଅଧିକାରୀ ଏହି ଜମିକୁ ନିଜ କବଜାକୁ ନେଇ ନିଲାମ କରିବାକୁ ପ୍ରସ୍ତୁତି କରୁଛନ୍ତି।

ଆୟକର ବିଭାଗର ସୂତ୍ର ଅନୁଯାୟୀ, ନିକଟ ଅତୀତରେ ବିଭାଗ ଦ୍ଵାରା ଏତେ ବଡ ଜମି କେବେ ଜବତ କରାଯାଇନଥିଲା। ନ୍ୟାୟିକ ପ୍ରାଧିକରଣର ଅନୁମୋଦନ ପରେ ଜମିର ଜବତ ପ୍ରକ୍ରିୟା ପୂରା କରାଯାଇଛି। ମେହୁଲ ଚୋକସି ବିରୋଧରେ ସିବିଆଇ, ଇଡି ଏଦଂ ଆୟକର ବିଭାଗ ଦ୍ଵାରା ଜାରି ତଦନ୍ତ ସମୟରେ ଏହି ଜମି ବିଷୟରେ ଜଣା ପଡିଥିଲା। ଏହି ଜମିଗୁଡିକୁ ନାସିକ ମଲଟି ସର୍ଭିସେ୍ ସେଜ୍ ନାମରେ ଇଗତପୁରୀ ମୁଣ୍ଡ ଗାଁରେ କିଣା ଯାଇଥିଲା। ଏଥିପାଇଁ ଚୋକସିଙ୍କ କମ୍ପାନୀ ଗୀତାଞ୍ଜଳୀ ଜେମ୍ସକୁ ଅର୍ଥ ପୈଠ କରିଥିଲା। ତେବେ ଏଥିରୁ ଦୁର୍ନୀତିର ଗନ୍ଧ ଆସିବା ପରେ ବିଭାଗ ୨୦୨୦ରେ ଏହି ଜମି ବ୍ୟାଜାପ୍ତ କରିଥିଲା।

ଆୟକର ବିଭାଗ ଯେଉଁ ବେନାମୀ ସଂପତ୍ତି ଜବତ କରିଥାଏ, ଏହାର ସଂପୂର୍ଣ୍ଣ ତଥ୍ୟ ନ୍ୟାୟିକ ପ୍ରାଧିକରଣକୁ ପ୍ରଦାନ କରିଥାଏ। ଯେଉଁ ବ୍ୟକ୍ତିଙ୍କ ଜମି ଜବତ ହୋଇଥାଏ ଉକ୍ତ ବ୍ୟକ୍ତି ନ୍ୟାୟିକ ପ୍ରାଧିକରଣ ନିକଟରେ ଅପିଲ୍ କରିପାରିବେ। ହେଲେ ମେହୁଲ ଚୋକସି ସଂପର୍କିତ ଏହି ଜମି ମାମଲାରେ କେହି ହେଲେ ଅପିଲ୍ କରିବାକୁ ଆସିନଥିଲେ। ଏହି କାରଣରୁ ଆୟକର ବିଭାଗର କାମ ସହଜ ହୋଇଗଲା।

Get real time updates directly on you device, subscribe now.