fbpx

‘ଅସାନୀ’ ଯାଉ ଯାଉ ପୁଣି ଆସୁଛି ଏକ ବାତ୍ୟା! ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ: IMD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା, ଏଇ ଦୁଇଟି ଅକ୍ଷର ଯେମିତି ଓଡ଼ିଶାବାସୀଙ୍କ ପାଇଁ ଏକ ଚିର ସହଚର ପାଲଟି ଗଲାଣି । ବାତ୍ୟା ‘ଅସାନୀ’କୁ ନେଇ ରାଜ୍ୟବାସୀ ଭୟଭୀତ ରହିଥିବା ବେଳେ ତାହା ସେତେଟା ପ୍ରଭାବ ପକାଇ ପାରି ନଥିଲା । ତେବେ ପୁଣି ଆଉ ଏକ ଲଘୁଚାପ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି । ବଙ୍ଗୋପାସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଆସନ୍ତା ୩-୪ ଦିନ ଭିତରେ ଏହାର ଝଲକ ଦେଖାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ।

ଆଇଏମଡି ଜାରି କରିଥିବା ଫୋରକାଷ୍ଟ ମୁତାବକ, ଆସନ୍ତା ୧୩ରୁ ୧୯ ତାରିଖ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସୃଷ୍ଟି ହୋଇ ଅବପାତର ରୂପ ନେଇପାରେ । ତେବେ ଲଘୁଚାପ ହେବ ବୋଲି କୁହାଯାଇଥିଲେ ହେଁ ଅବପାତ ସମ୍ଭାବନାକୁ ଅଧିକାଂଶ ମଡେଲ ଖଣ୍ଡନ କରିଛନ୍ତି । ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ନେଇ ଅନେକ ବିଦେଶୀ ପାଣିପାଗ ମଡେଲ ସୂଚନା ଦେଇଛନ୍ତି ।

ସେହିପରି ମୌସୁମୀକୁ ନେଇ ଆଇଏମଡି କହିଛି ଯେ, ଆସନ୍ତା ୧୫ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ । ସାଧାରଣ ଭାବେ ମେ ମାସ ୨୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ମୌସୁମୀ ପ୍ରବେଶ କରିଥାଏ । ମାତ୍ର ଏଥର ସଅଳ ଆସିବ ବୋଲି କୁହାଯାଉଛି । ଏହାର ପ୍ରଭାବ ଓଡ଼ିଶାରେ କିପରି ରହିବ ତାହା ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ । ୧୯ରୁ ୨୫ ମଧ୍ୟରେ ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରକୋପ ଦେଖିବାକୁ ମିଳିବ ।

Get real time updates directly on you device, subscribe now.