fbpx

୨୪ ଘଣ୍ଟାରେ ଆଉ ଏକ ଲଘୁଚାପ, ୪ ଦିନ ପ୍ରବଳ ବର୍ଷା!

ଭୁବନେଶ୍ୱର : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ପ୍ରବଳ ବର୍ଷା କରାଇବ ବୋଲି ବିଭାଗ ସୂଚନା ଦେଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧, ୨ ଓ ୩ତାରିଖରେ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବିଭାଗର ଆକଳନ ଅନୁଯାୟୀ ୧,୨ ଓ ୩ ତାରିଖରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଶୁକ୍ରବାର ଠାରୁ ବର୍ଷାର ଝଲକ ଦେଖିବାକୁ ମିଳିବ । ଶୁକ୍ରବାର ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ୧ତାରିଖରେ ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଲାଙ୍ଗୀର, ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହିସବୁ ଜିଲ୍ଲାର କେତେକ ସ୍ଥାନରେ ୭୦ରୁ ୨୦୦ମିମି ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳିଛି ।

ଗତ ବୁଧବାର ନବରଙ୍ଗପୁରରେ ୫୮ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କୋତ୍ରାଗୁଡାରେ ୫୩.୫, ଡାବୁଗାଁରେ ୫୧ମିମି ବର୍ଷା ରେକର୍ଡ କରାଯାଇଛି । ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲ୍ଲା ହେଲା, ମାଲାକାନାଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ରାୟଗଡା, ନୂଆପଡା, ଗଜପତି, କନ୍ଧମାଳ ଓ ସୁନ୍ଦରଗଡ ।

୩୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଅକ୍ଟୋବର ୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏହିସବୁଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷାର ସମ୍ଭାବନା ଥିବା ସୂଚନା ଦିଆଯାଇଛି ।

Get real time updates directly on you device, subscribe now.