ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ଯେତିକି ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ପରିସ୍ଥିତି ସେତିକି ମାତ୍ରାରେ ଚଳଚଞ୍ଚଳ ହୋଇ ଉଠୁଛି । ପ୍ରମୁଖ ରାଜନୈତିକ ଦଳମାନେ କ୍ଷମତା ହାତେଇବା ଲକ୍ଷ୍ୟରେ ଜନତାଙ୍କ ନିକଟତର ହେବାକୁ ପ୍ରୟାସ କରିବା ସହ ନିଜ ସଂଗଠନକୁ ଅଧିକ ସୁଦୃଢ଼ କରୁଛନ୍ତି । ତେବେ ଏହା ମଧ୍ୟରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ନେଇ ଆସିଛି ଏକ ବଡ଼ ଖବର ।
ସୂଚନା ମୁତାବକ, ଏନଡିଓଏରୁ ଓହରିଯାଇଛି ଜନ ସେନା ପାର୍ଟି । ଅଭିନେତାରୁ ରାଜନେତା ପାଲଟିଥିବା ପବନ କଲ୍ୟାଣ ଏହି ପାର୍ଟିର ମୁଖ୍ୟ ହୋଇଥିବା ବେଳେ ସେ ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)କୁ ସମର୍ଥନ କରିବା ଲକ୍ଷ୍ୟରେ ପବନ ଏହି ନିଷ୍ପତ୍ତି ନେଇଛନ୍ତି । ଟିଡିପି ଏକ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଏହି ଦଳ ଆନ୍ଧ୍ରପ୍ରଦେଶର ବିକାଶ କରିପାରିବାର ସାମର୍ଥ୍ୟ ରଖିଛି । ବର୍ତ୍ତମାନ ସମୟରେ ଟିଡିପି ଅନେକ ଚ୍ୟାଲେଞ୍ଜର ସାମ୍ନାକୁ କରୁଥିବାରୁ ଏଭଳି ସ୍ଥିତିରେ ଜନ ସେନା ପାର୍ଟି ତାକୁ ସମର୍ଥନ କରିବାର ଆବଶ୍ୟକତା ରହିଛି । ଯଦି ଟିଡିପି ଓ ଜନ ସେନା ଏକାଠି ମେଣ୍ଟ କରନ୍ତି ତେବେ ଏହାର ପ୍ରଭାବ ରାଜ୍ୟରେ କ୍ଷମତାସୀନ ୱାଇଏସଆରସିପି ସରକାର ଉପରେ ନିଶ୍ଚିତ ଭାବେ ପଡ଼ିବ ବୋଲି ପବନ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ମାସ ୨୫ ତାରିଖରେ ଏନଡିଏରୁ ଅଲଗା ହୋଇଯାଇଥିଲା ତାମିଲନାଡ଼ୁର ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ (ଏଆଇଏଡିଏମକେ) । ଦଳର ପୂର୍ବତନ ନେତୃବୃନ୍ଦ ଓ ଦଳର ସାଧାରଣ ସମ୍ପାଦକ ଏଡାପ୍ପାଡି କେ. ପାଲାନୀସ୍ୱାମୀଙ୍କ ବିରୋଧରେ ବିଜେପିର ରାଜ୍ୟ ଶାଖା ପକ୍ଷରୁ ଆପତ୍ତିଜନକ ମନ୍ତବ୍ୟ ଦିଆଯିବା ନେଇ ଏଆଇଏଡିଏମକେ ଏନଡିଏରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିଲା ।