fbpx

ଟିମ୍ ଇଣ୍ଡିଆକୁ ଝଟକା ପରେ ଝଟକା: ଜଣଙ୍କ ପରେ ଜଣେ ଖେଳାଳି ବାଦ୍ ପଡ଼ୁଛନ୍ତି, ଭାରତ ସିରିଜ୍ ଜିତିବ କେମିତି

ନୂଆଦିଲ୍ଲୀ: ଭାରତ ମାଟିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ବଡ଼ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ ଏହି ସିରିଜକୁ କିପରି ହାତେଇବା ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ବର୍ତ୍ତମାନ ଏହି ସିରିଜ ୧-୧ରେ ବରାବର ସ୍ଥିତିରେ ରହିଥିବା ବେଳେ ସିରିଜ ଜିତିବାକୁ ହେଲେ ଦଳକୁ ଅବଶିଷ୍ଟ ୩ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

ବ୍ୟକ୍ତିଗତ ସମସ୍ୟା କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବାଦ୍ ପଡ଼ିଥିଲେ । ସେହିପରି ଆଘାତ ଜନିତ ସମସ୍ୟା କାରଣରୁ ଗତ ଟେଷ୍ଟରେ ରବିନ୍ଦ୍ର ଜାଡ଼େଜା ଓ କେଏଲ ରାହୁଲ ଖେଳି ପାରିନଥିଲେ । ରାହୁଲ ଏବେ ଫିଟ ହୋଇ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସାର୍ ଜାଡ଼େଜାଙ୍କ ସ୍ଥିତିକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ତେବେ ଏହା ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ପୁଣି ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି । ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ପୂରା ସିରିଜରୁ ବାଦ୍ ପଡ଼ିବା ଆଶଙ୍କା ଦେଖା ଦେଇଛି । ଆୟରଙ୍କ ପିଠିରେ ସମସ୍ୟା ଦେଖାଦେଇ ଥିବାରୁ ସେ ଅନ୍ୟ ମ୍ୟାଚଗୁଡ଼ିକରେ ଖେଳିନପାରନ୍ତି । ସେ ପ୍ରଥମ ଦୁଇଟି ଟେଷ୍ଟରେ ଖେଳିଥିବା ବେଳେ ଦ୍ୱିତୀୟ ଟେଷ୍ଟ ସମୟରେ ନିଜର ସମସ୍ୟା ବିଷୟରେ ଟିମ୍ ମ୍ୟାନେଜମେଣ୍ଟକୁ କହିଥିଲେ । ପିଠି ଯନ୍ତ୍ରଣା କାରଣରୁ ଗତ ବର୍ଷ ଜାନୁଆରୀରେ ଶ୍ରେୟସ କିଛି ମ୍ୟାଚ ଖେଳିପାରିନଥିଲେ ।

ଗତବର୍ଷ ପିଠିରେ ସର୍ଜରୀ କରାଯିବା ପରେ ପ୍ରଥମ ଥର ଶ୍ରେୟସ ଏପରି ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ସେ ବାକି ୩ଟି ମ୍ୟାଚରେ ଖେଳିବା ମୁସ୍କିଲ ମନେହେଉଛି । ସେଥିପାଇଁ ଶ୍ରେୟସଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ କୁହାଯାଇଛି । ତେବେ ୩-୪ ଜଣ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବା ଟିମ୍ ଇଣ୍ଡିଆ ସମ୍ମୁଖରେ ଏବେ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ଏହି ସିରିଜର ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ପଏଣ୍ଟ ଟେବୁଲ ଉପରେ ପ୍ରଭାବ ପକାଇବ ।

Get real time updates directly on you device, subscribe now.