Anti Conversion Law କଣ: ଜଣେ ଅନ୍ୟ ଜଣଙ୍କୁ ଧମକାଇ, ଡରାଇ, ଧୋକ୍କା ଦେଇ, ମିଛ କହି ଧର୍ମାନ୍ତରୀକରଣ କରାଇ ପାରିବନି, ନ ମାନିଲେ ଜେଲ୍

ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କରି ବିବାହ କଲେ ଭୋଗିବାକୁ ପଡ଼ିବ କଠୋର ଦଣ୍ଡ । ନିୟମ ନ ମାନିଲେ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ । ନିକଟରେ ହରିୟାଣା ସରକାର ଆଣ୍ଟି କନର୍ଭନ ଲ’ ଆଣିଛନ୍ତି । ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ଏପରି ୧୨୭ଟି ମାମଲା ଆସିଥିଲା । ତେଣୁ ରାଜ୍ୟ ସରକାର ଏହି କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିୟମ ଅନୁଯାୟୀ, ଏଣିକି ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ଡରାଇ ଧମକାଇ, ଲାଳସା ଦେଖାଇ, ଧୋକ୍କା ଦେଇ, ମିଛ କହି ଧର୍ମାନ୍ତରୀକରଣ କରାଇ ପାରିବ ନାହିଁ । ଧର୍ମ ପରିବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ ।

ନିୟମ ମୁତାବକ, ଧର୍ମାନ୍ତରୀକରଣ କରୁଥିବା ବ୍ୟକ୍ତି, କରାଉଥିବା ପୂଜାରୀ, ପାଦ୍ରିଙ୍କୁ ଏହାର କାରଣ ଦେବାକୁ ପଡ଼ିବ । ଏଥିସହିତ ଜିଲ୍ଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଅନୁମତି ମିଳିବା ପରେ ଜଣେ ବ୍ୟକ୍ତି ଧର୍ମାନ୍ତରୀକରଣ କରାଇ ପାରିବ । ଧର୍ମାନ୍ତରୀକରଣ ପାଇଁ କିଛି ଚାପ ରହିଛି କି ନାହିଁ, କିଏ ଧମକ ଦେଇଛି କି ନାହିଁ ତା’ର ସୂଚନା ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ପଡ଼ିବ । କେବେଠାରୁ ଧର୍ମ ପରିବର୍ତ୍ତନ ନେଇ ଚିନ୍ତା କରୁଥିଲେ ତାହା ସ୍ପଷ୍ଟ କରିବାକୁ ପଡ଼ିବ ।

ସମସ୍ତ ସୂଚନା ଲିଖିତ ଭାବେ ପ୍ରଦାନ କରିବା ପରେ ଜିଲ୍ଲାପାଳ ତା’ର ଯାଞ୍ଚ କରିପାରିବେ । ଯଦି ଧର୍ମାନ୍ତରୀକରଣ କୌଣସି ପ୍ରକାରର ଲାଳସା, ଧମକ, ଧୋକ୍କା ଦେଇ, ମିଛ କହି କରାଯାଉଥିବା ଅଭିଯୋଗ ହୁଏ, ତେବେ ଏନେଇ ପୋଲିସରେ ମାମଲା ଦାୟର ହେବ । ଏହି ଆଇନ ପୀଡ଼ିତ ବ୍ୟକ୍ତିଙ୍କୁ ଭରଣପୋଷଣର ଅଧିକାର ପ୍ରଦାନ କରିଥାଏ । ବିବାହ କ୍ଷେତ୍ରରେ ଯଦି ଅଦାଲତ ବିବାହକୁ ରଦ୍ଦ କରି ଦିଅନ୍ତି, ତେବେ ଦୋଷୀଙ୍କୁ ପୀଡ଼ିତଙ୍କୁ ଭରଷପୋଷଣ ଓ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ଖର୍ଚ୍ଚ ପ୍ରଦାନ କରିବାକୁ ପଡ଼ିବ ।

ଏଥିସହିତ ଏପରି ବୈବାହିକ ମାମଲାରେ ଯଦି କୌଣସି ସନ୍ତାନ ଥିବେ, ତେବେ ଦୋଷୀ ତାଙ୍କର ଖର୍ଚ୍ଚ ବହନ କରିବେ । ସନ୍ତାନ ସାବାଳକ ହେବା ପର୍ଯ୍ୟନ୍ତ ତାଙ୍କୁ ଖର୍ଚ୍ଚ ଦେବାକୁ ପଡ଼ିବ । ଯଦି ଟ୍ରାଏଲ ସମୟରେ ଦୋଷୀଙ୍କ ମୃତ୍ୟୁ ଘଟେ, ତେବେ ତାଙ୍କର ସମ୍ପତ୍ତି ପୀଡ଼ିତଙ୍କୁ ପ୍ରଦାନ କରାଯିବ । ଯଦି ଜଣେ ବ୍ୟକ୍ତି ଜୋରଜବରଦସ୍ତି, ଡରାଇ ଧମକାଇ, ଲାଳସା ଦେଇ ଧର୍ମାନ୍ତରୀକରଣ କରାଇଥାନ୍ତି, ତେବେ ତାଙ୍କୁ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦେଣ୍ଡ ଓ ୧ ଲକ୍ଷ ଜରିମାନା ଦେବାକୁ ପଡ଼ିବ । ନିଜର ଧର୍ମ ଲୁଚାଇ ବିବାହ କଲେ ୩ରୁ ୧୦ ବର୍ଷ ଜେଲଦଣ୍ଡ ସହ ୩ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ୧୯୬୭ରେ ଧର୍ମାନ୍ତରୀକରଣ ଆଇନ ଲାଗୁ ହୋଇଥିଲା । ଏ କ୍ଷେତ୍ରରେ ଦୋଷୀଙ୍କୁ ୧ ବର୍ଷର ଜେଲଦଣ୍ଡ ସହିତ ୫ ହଜାର ଜରିମାନା ଦେବାକୁ ପଡ଼ିଥାଏ । ଅନୁସୂଚିତ ଜାତି ଓ ଅନୁସୂଜିତ ଜନଜାତିଙ୍କ କ୍ଷେତ୍ରରେ ୨ ବର୍ଷର ଜେଲଦଣ୍ଡ ଓ ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି । ସେହିପରି ୧୯୬୮ରେ ମଧ୍ୟପ୍ରଦେଶରେ ଏହି ଆଇନ ଲାଗୁ ହୋଇଥିବା ବେଳେ ୨୦୨୧ରେ ସେଥିରେ ସଂଶୋଧନ କରାଯାଇଥିଲା । ୧୯୭୮ରେ ଅରୁଣାଚଳ ପ୍ରଦେଶରେ, ୨୦୦୦ରେ ଛତିଗଡ଼ରେ, ୨୦୦୩ରେ ଗୁଜରାଟରେ, ୨୦୧୭ରେ ଝାଡ଼ଖଣ୍ଡରେ, ୨୦୧୯ରେ ହିମାଚଳ ପ୍ରଦେଶରେ, ୨୦୨୦ରେ ଉତ୍ତରପ୍ରଦେଶରେ, ୨୦୨୨ରେ ଉତ୍ତରାଖଣ୍ଡରେ ଏହି ଆଇନ ଲାଗୁ କରାଯାଇଥିଲା ।