ନୂଆଦିଲ୍ଲୀ:କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ନଡିଆର ଏମଏସପି ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ଦିଆଯାଇଛି । ଏହା ୨୦୧୪ ତୁଳନାରେ ଏବେ ୨ ଗୁଣ ହୋଇଯାଇଛି ।
ବୈଠକରେ ସଡକ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨ଟି ନିର୍ଣ୍ଣୟ ନିଆଯାଇଛି । ତ୍ରିପୁରାର ଖୋୱେଇ ଠାରୁ ହିରନା ପର୍ଯ୍ୟନ୍ତ ସଡକ ନିର୍ମାଣକୁ ମଞ୍ଜୁରୀ ଦିଆଯାଇଛି । କୁହାଯାଇଛି ଏହାଦ୍ୱାରା ଆସାମ ଓ ତ୍ରିପୁରା ମଧ୍ୟରେ ଯାତାୟତ ସହଜ ହେବ । ଏହାସହିତ ଉତ୍ତର ଓ ଦକ୍ଷିଣ ତ୍ରିପୁରା ମଧ୍ୟରେ ଦୂରତା ହ୍ରାସ ପାଇବ । ଗ୍ରୀନ୍ ଫିଲ୍ଡ ପ୍ରୋଜେକ୍ଟ ଜରିଆରେ ଏହାର ନିର୍ମାଣ କରାଯିବ । ଅନ୍ୟପକ୍ଷରେ ବିହାରରେ ଦୀଘାରୁ ସୋନପୁର ଗଙ୍ଗା ନଦୀ ଉପରେ ୬ ଲେନ୍ ବିଶିଷ୍ଟ ବ୍ରିଜ୍ ନିର୍ମାଣ ହେବ ଯେଉଁଥିରେ ୩୦୦୦କୋଟିରୁ ଅଧିକ ଖର୍ଚ୍ଚ ହେବ ।
ଅନୁରାଗ ଠାକୁର କହିଛନ୍ତି ବର୍ଷ ୨୦୨୪ ଲାଗି ଏମଏସପି ଧାର୍ଯ୍ୟ କରିଦିଆଯାଇଛି । ବର୍ଷ ୨୦୨୪ ଲାଗି ନଡିଆ ନିମନ୍ତେ ଏମଏସପି ୨୦୨୩ ଠାରୁ ଅଧିକ ରହିବ । ଘଣା ନଡିଆ ଲାଗି ଏମଏସପି କ୍ୱିଣ୍ଟାଲ ପ୍ରତି ୩୦୦ଟଙ୍କା ଓ ନୂଆ ନଡିଆ ଲାଗି ଏମଏସପି କ୍ୱିଣ୍ଟାଲ ପ୍ରତି ୨୫୦ ଟଙ୍କା ବୃଦ୍ଧି କରାଯାଇଛି ।