fbpx

ଦୁବାଇରେ ଶୁଭିଲା ‘ଆପଣମାନେ ଖୁସି ତ’

ଭୁବନେଶ୍ୱର: ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ କଥା ବିରୋଧୀଙ୍କୁ ଘାଇଲା କରି ଦେଇଥିଲା। ତାହା ହେଉଛି ବହୁଚର୍ଚ୍ଚିତ ‘ଆପଣମାନେ ଖୁସି ତ’। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଚର୍ଚ୍ଚିତ ଡାଇଲଗ ‘‘ଆପଣମାନେ ଖୁସି ତ’ ଏବେ ବିଦେଶ ମାଟିରେ ବି ଶୁଭିଲାଣି। ଦୁବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ଆଜି ସଂଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିଲେ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିବାଦନ ପଟ୍ଟନାୟକ ଜଣାଇବା ସହିତ ଆପଣମାନେ ଖୁସି ତ ‘ ବୋଲି ପଚାରିଥିଲେ। ଥରେ ନୁହେଁ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ପ୍ରବାସୀ ଓଡ଼ିଆଙ୍କୁ ନିଜ ସ୍ଵଭାବ ସୁଲଭ ଢ଼ଙ୍ଗରେ ଏହା ପଚାରିଥିଲେ। ସେଠାରେ ଉପସ୍ଥିତ ପ୍ରବାସୀ ଓଡ଼ିଆମାନେ ମଧ୍ୟ ଏକ ସଙ୍ଗରେ ଆମେ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଏହି କଥାରେ ପ୍ରବାସୀ ଓଡ଼ିଆ ବେଶ୍ ଖୁସି ବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ମିତ ହାସ୍ୟଟିଏ ଦେବାକୁ ଭୁଲି ନଥିଲେ। ଆଲୋଚନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରସିଦ୍ଧ ବାକ୍ୟଟି ସେଠାକାର ପରିବେଶକୁ ବେଶ୍ ହାଲୁକା କରିଥିଲା।

ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ ରେ ଯୋଗ ଦେଇ ସେଠାକାର ପୁଞ୍ଜିପତିମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ମୋଟ୍ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି ସୂଚନା ଦିଆଯାଇଛି। ଗତ ୨ ବର୍ଷରେ ଓଡ଼ିଶାରେ ବିନିଯୋଗ ହୋଇଛି ୩ ଲକ୍ଷ ୭୫ ହଜାର କୋଟି ଟଙ୍କା। କରୋନା ମହାମାରୀ ସତ୍ୱେ ରାଜ୍ୟ ସରକାର ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଠାରୁ ଆରମ୍ଭ କରି ଜମି ଅଧିଗ୍ରହଣ ବ୍ୟବସ୍ଥାରେ ମଧ୍ୟ ସରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଇନ୍ଭେଷ୍ଟର୍ସ ମିଟ୍ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଓଡ଼ିଶା ଦୁବାଇ ମଲ୍ଟିକମୋଡିଟିଭ ସେଣ୍ଟର ଏବଂ ସାରଜାର ସାରଜା ବିମାନ ବନ୍ଦର ଅନ୍ତର୍ଜାତୀୟ ମୁକ୍ତ ଜୋନ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏପରିକି ଉଭୟ ପକ୍ଷ ମଧ୍ୟରେ ଦକ୍ଷତା ସହ ପ୍ରଶିକ୍ଷଣ ବିନିମୟ ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ପ୍ରୟାସ ଆଗାମୀ ଦିନରେ ରାଜ୍ୟର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ।

Get real time updates directly on you device, subscribe now.