ନୂଆ ବାହା ହୋଇଛନ୍ତି କି ? ପାର୍ଟନରଙ୍କ ସହ କରନ୍ତୁନି ଏହି ଭୁଲ, ସମ୍ପର୍କରେ ଦେଖାଦେଇଥାଏ ଫାଟ

ଓଡ଼ିଶା ଭାସ୍କର: ବିବାହର ପ୍ରାରମ୍ଭିକ ସମୟ ନବ ଦମ୍ପତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସମୟ ମଧ୍ୟରେ ଦମ୍ପତି ପରସ୍ପର ବିଷୟରେ ଜାଣିବାକୁ ଓ ବୁଝିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବେଳେ ବେଳେ ନବ ବିବାହିତ ଦମ୍ପତି ନୂତନ ଜୀବନ ପ୍ରାରମ୍ଭ କରିବାକୁ ନେଇ ବିଚଳିତ ହୋଇପଡ଼ନ୍ତି । ଅଧିକାଂଶ ସମୟରେ କାର୍ଯ୍ୟବ୍ୟସ୍ତତା କିମ୍ବା ଅନ୍ୟ କାରଣ ପାଇଁ ପାର୍ଟନରକୁ ସମୟ ଦେଇପାରନ୍ତି ନାହିଁ । ଫଳରେ ପାର୍ଟନରଙ୍କ ଛୋଟ ଛୋଟ ଭୁଲ ସମ୍ପର୍କର ମାଧୂର୍ଯ୍ୟକୁ ନଷ୍ଟ କରିଦେଇଥାଏ ଏବଂ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିଯାଏ । ତେବେ ଆସନ୍ତୁ ଜାଣିବା ବୈବାହିକ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଦମ୍ପତିଙ୍କୁ କେଉଁ ସବୁ ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ ।

୧. ଓଭର ପୋଜେସିଭ୍‌: ନବ ବିବାହିତ ଦମ୍ପତିଙ୍କ ମନରେ ପାର୍ଟନରଙ୍କୁ ନେଇ ଓଭର ପୋଜେସିଭ୍ ହୋଇଯାନ୍ତି । ଏମିତିରେ ଅନ୍ୟ ପାର୍ଟନର ଜଣଙ୍କୁ ସମ୍ପର୍କରେ ଅଣନିଶ୍ୱାସି ଅନୁଭବ ହୋଇଥାଏ । ଫଳରେ ଦମ୍ପତିଙ୍କ ମଧ୍ୟରେ ଦୂରତା ଦେଖାଦେଇଥାଏ । ସମ୍ପର୍କରେ ପରସ୍ପରର ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦିଅନ୍ତୁ ଏବଂ ପାର୍ଟନର ଉପରେ ବିଶ୍ୱାସ ରଖନ୍ତୁ । ମନେରଖନ୍ତୁ ପ୍ରତ୍ୟେକ ବ୍ୟକ୍ତିର ପର୍ସନାଲ ସ୍ପେସ୍ ରହିଛି ତେଣୁ ଏହାର ସମ୍ମାନ କରନ୍ତୁ ।

୨. ତୁଳନା କରିବା: ବିବାହ ପରେ ଅନ୍ୟ ଦମ୍ପତିଙ୍କ ସହ ନିଜ ପାର୍ଟନରର ତୁଳନା କରନ୍ତୁ ନାହିଁ । ଏହା ଦ୍ୱାରା ପାର୍ଟନରଙ୍କ ମନରେ ସମ୍ପର୍କକୁ ନେଇ ହୀନ ଭାବନା ଦେଖାଦେଇଥାଏ । ପାର୍ଟନରଙ୍କ ମନରେ ଆପଣଙ୍କ ପ୍ରତି ଥିବା ଭଲପାଇବା ଓ ସମ୍ମାନ ଧୀରେ ଧୀରେ ହ୍ରାସ ହୋଇଥାଏ । ନିଜ ପାର୍ଟନରଙ୍କୁ ଉଭୟ ସେମାନଙ୍କ ଭଲ ଗୁଣ ଓ ଦୁର୍ବଳତା ସହ ଆପଣାନ୍ତୁ । ଅନ୍ୟ ଦମ୍ପତିଙ୍କ ସମ୍ପର୍କ ସହ ନିଜକୁ ତୁଳନା କଲେ ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ଆସିଥାଏ । ଏହା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ ।

୩. ଡୋମିନେଟିଂ ସ୍ୱଭାବ: ଅଧିକାଂଶ ବ୍ୟକ୍ତି ଚାହାଁନ୍ତି କି ବିବାହ ପରେ ପାର୍ଟନର କେବଳ ସେମାନଙ୍କ କଥା ଶୁଣନ୍ତୁ ଏବଂ ଗୁରୁତ୍ୱ ଦିଅନ୍ତୁ । ଅନ୍ୟ ପାର୍ଟନରର ଭାବନାକୁ ସେମାନେ ଅଣଦେଖା କରିଥାନ୍ତି । ବିବାହର ପ୍ରାରମ୍ଭିକ ପର୍ଯ୍ୟାୟରେ ଏପରି କରନ୍ତୁ ନାହିଁ । ବିବାହ ପରେ ଉତ୍ତମ ପାର୍ଟନର ଦାୟିତ୍ୱ ହେଉଛି ପରସ୍ପରର ସହଯୋଗ କରିବା । ପାର୍ଟନରଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣନ୍ତୁ ଏବଂ ବିଚାରକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଜୀବନରେ ସେମାନଙ୍କ ସମାନ ଅଧିକାର ଓ ମହତ୍ୱ ରହିଥିବା ଅନୁଭବ କରାନ୍ତୁ ।

୪. ଅନ୍ୟ କଥାରେ ପ୍ରଭାବିତ ହେବା: ଅନେକ ସମୟରେ ବ୍ୟକ୍ତି ଅନ୍ୟର କଥା ଶୁଣି ପ୍ରଭାବିତ ହୋଇ ପାର୍ଟନରଙ୍କ ଉପରେ ସନ୍ଦେହ କରିଥାନ୍ତି । କିଛି ଆଗପଛ ବିଚାର ନ କରି ପାର୍ଟନରଙ୍କୁ ସବୁ କଥା ପାଇଁ ଦାୟୀ କରିଥାନ୍ତି । ବୈବାହିକ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଦମ୍ପତିଙ୍କ ମଧ୍ୟରେ ପରସ୍ପର ପ୍ରତି ବିଶ୍ୱାସ ରଖିବା ଉଚିତ । ଗୋଟିଏ ଛୋଟ ଭୁଲ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ । କିଛି ବି ନିଷ୍ପତ୍ତି ନେବା ପୂର୍ବରୁ ପାର୍ଟନରଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରନ୍ତୁ । ପାର୍ଟନରଙ୍କ ଛୋଟ ଛୋଟ କଥାକୁ ଗୁରୁତ୍ୱ ଦିଅନ୍ତୁ । ଏହା ଦ୍ୱାରା ସମ୍ପର୍କ ଦୃଢ଼ ହୋଇଥାଏ ।