fbpx

ଅର୍ଜୁନ ପୁରସ୍କାର ବିଜେତା DSP ଦଲବୀର ସିଂହଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧରରୁ ଆସିଛି ଏକ ବଡ଼ ଖବର । ଅର୍ଜୁନ ପୁରସ୍କାର ବିଜେତା ଡିଏସପି ଦଲବୀର ସିଂହଙ୍କ ମୃତଦେହ ଉଦ୍ଧାର ହୋଇଛି । ଶ୍ରୀ ସିଂହଙ୍କର ଶରୀରର କିଛି ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଦଲବୀରଙ୍କୁ ୫୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ମୃତ୍ୟୁର କାରଣ ଏବେ ରହସ୍ୟ ଘେରରେ ରହିଛି । ଏହି ଘଟଣାକୁ ନେଇ ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଦଲବୀର ପୂର୍ବରୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ସେ ଜଣେ ଦକ୍ଷ ଅଫିସର ଭାବେ ବେଶ୍ ପରିଚିତ ଥିଲେ । ତେଣୁ ତାଙ୍କର ଅଚାନକ ମୃତ୍ୟୁକୁ ନେଇ ଏବେ ରାଜ୍ୟ ପୋଲିସ ବିଭାଗରେ ଚହଳ ପଡ଼ିଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି ।

ଜଳନ୍ଧର ସହରର ଏକ ବାହ୍ୟ ଅଞ୍ଚଳର ବାବା ଖେଲର ଏକ କେନାଲ ନିକଟରୁ ଦଲବୀରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କର ମୁଣ୍ଡରେ ଗୁଳି ଚିହ୍ନ ରହିଥିବା ବେଳେ ତାଙ୍କର ସରକାରୀ ପିସ୍ତଲ ଗାଏବ ହୋଇଯାଇଥିବା ଜଣପଡ଼ିଛି । ସେ ଜଳନ୍ଧରର ପିଏପି ଟ୍ରେନିଂ ସେଣ୍ଟରେ ଡ୍ୟୁଟି କରୁଥିଲେ । ଗତ ୧୬ ତାରିଖ ରାତିରେ ଏକ ଗାଁରେ ସେ ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଇଥିଲେ । ପରେ ଉକ୍ତ ଘଟଣାର ସମାଧାନ ହୋଇଥିଲା । ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ପୋଲିସ ହତ୍ୟା ସନ୍ଦେହରେ ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.