fbpx

ଭଙ୍ଗା ଦଦରା ଘରେ ରହେ ରହୁଛନ୍ତି ‘କ୍ୟାସ୍ କୁଇନ’ଙ୍କ ମାଆ, ଜାଣିନଥିଲେ ଅର୍ପିତା ପାଖରେ ଅଛି ଏତେ ଟଙ୍କା

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଉପରେ ଇଡିର କାର‌୍ୟ୍ୟାନୁଷ୍ଠାନ ଜାରି ରହିଛି। ଅର୍ପିତାଙ୍କ ବାସଭବନରୁ ଇଡି ୫୦ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫ କିଲୋ ସୁନା ଜବତ କରିଛି। ସବୁଠୁ ଆଶ୍ଚର‌୍ୟ୍ୟକର କଥା ଯେଉଁ କ୍ୟାସ୍ କୁଇନର ଘରୁ ଅମାପ ଧନ ସଂପତ୍ତିର ଭଣ୍ଡାର ରହିଛି, ତାଙ୍କ ମାଆ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅର୍ପିତାଙ୍କ ମାଆ କୋଲକାତାଠୁ ଅନତି ଦୂର ନିଜ ପୈତୃକ ଘରେ ରହୁଛନ୍ତି। ଆଉ ଏହି ଘରଟି ଭଙ୍ଗା ଦଦରା ଅବସ୍ଥାରେ ରହିଛି। କାନ୍ଥରେ ଫାଟ ଦେଖାଗେଲାଣି।

କ୍ୟାସ୍ କୁଇନ ଅର୍ପିତା ମୁଖାର୍ଜୀଙ୍କ ପୈତୃକ ଘର ଉତ୍ତର ୨୪ ପ୍ରଗଣାର ବେଘୋରିଆ ଅଞ୍ଚଳରେ ଅବସ୍ଥିତ। ଏଠାରେ ତାଙ୍କ ମାଆ ମିନତୀ ମୁଖାର୍ଜୀ ଏକାକୀ ରହୁଛନ୍ତି। ଏହି ଘର ପ୍ରାୟ ୫୦ ବର୍ଷ ପୁରୁଣା ହେବ। ଘରର ଚାଡିଆଡେ ଫାଟ ସୃଷ୍ଟି ହେଲାଣି। ଏହି ଘରେ ରହୁଥିବା ଅର୍ପିତାଙ୍କ ରୋଗୀଣା ମାଆଙ୍କ ପାଖରେ କୌଣସି ଲଗଜରୀ ସାମାନ ନାହିଁ। ଯେଉଁ ଝିଅ ବିଳାସ ବ୍ୟସନ ଜୀବନ ଅତିବାହିତ କରୁଛି ତାରି ମାଆ ପାଖରେ ମୌଳିକ ସୁବିଧା ମଧ୍ୟ ନାହିଁ।

ନିଜ ଝିଅ କଥା ମନେ ପକାଇ ସେ କହିଛନ୍ତି, ଅର୍ପିତା କିଛି ସପ୍ତାହ ତଳେ ଏଠାକୁ ଆସିଥିଲା। ସେ ଏଠାରେ ଅଧିକ ସମୟ କେବେ ରହେନି। ସେ ଅଧିକାଂଶ ସମୟ ନିଜ ଘରେ ରହେ। ଅର୍ପିତା ନିଜ ରୋଗୀଣା ମାଆଙ୍କୁ ଭେଟିବାକୁ ଯାଆନ୍ତି ଏବଂ ତାଙ୍କ ସହ ୨ରୁ ୩ ଘଣ୍ଟା ରୁହନ୍ତି। ମାଆଙ୍କ ନିତି ଦିନିଆ କାମ ପାଇଁ ଅର୍ପିତା ଦୁଇ ଜଣ ସହାୟକଙ୍କ ବ୍ୟବସ୍ଥା ମଧ୍ୟ କରିଛନ୍ତି।

ମିନତୀ ମୁଖାର୍ଜୀ କହିଛନ୍ତି, ଅର୍ପିତା ମୋ କଥା ମାନିଥିଲେ ତାର ବିବାହ କରାଇ ସାରନ୍ତିଣି। ତା ବାପା ସରକାରୀ ଚାକିରିଆ ଥିଲେ, ଏଥିପାଇଁ ତାକୁ ଚାକିରି ମଧ୍ୟ ମିଳି ପାରିଥାନ୍ତା। ହେଲେ ଏଥିରେ ତାର ରୁଚି ନାହିଁ। ସେ ଏହି ଘର ବହୁତ ଦିନରୁ ଛାଡି ସାରିଛି। ଅର୍ପିତା ଫିଲ୍ମ ଏବଂ ଟିଭିରେ କାମ କରିବାକୁ ଚାହୁଁଥିଲା। ଇଡିର ଯାଞ୍ଚ ଉପରେ ପ୍ରତିକ୍ରିୟା ଦେଇ ଅର୍ପିତାଙ୍କ ମାଆ କହିଛନ୍ତି, ମୁଁ ତା ବିଷୟରେ ସମାଚାରରେ ଶୁଣିଛି। ମୋତେ ପଇସା ବିଷୟରେ କିଛି ଜଣା ନାହିଁ। ଏହା ଆଇନଗତ ମାମଲା। ମୁଁ ତାକୁ ଏହି ବିଷୟରେ ପଚାରିବାକୁ ଚେଷ୍ଟା କରିବି।

ସୂଚନାଯୋଗ୍ୟ, ଏହି ଘଟଣା ପରେ ପଶ୍ଚିମବଙ୍ଗ ସରକାରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯିବା ସହିତ ତୃଣମୂଳ କଂଗ୍ରେସର ସମସ୍ତ ପଦରୁ ହଟାଇ ଦିଆଯାଇଛି। ଇଡି ତାଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କରି ସାରିଛି।

 

Get real time updates directly on you device, subscribe now.