‘ମାଷ୍ଟର ମାଇଣ୍ଡକୁ ଗିରଫ କର’, ବିଏମସି ଆଟାକ୍‌କୁ ନେଇ ମେୟରଙ୍କ ବଡ଼ ନିର୍ଦ୍ଦେଶ

ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ଦାବି କଲେ ମେୟର

ଭୁବନେଶ୍ୱର: ବିଏମସିରେ ଆକ୍ରମଣ ହୋଇଥିବା ଘଟଣାକୁ ନେଇ ପ୍ରତିକ୍ରିୟା ଦେଲେ ମେୟର ସୁଲୋଚନା ଦାସ। ସେ ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ବିଏମସି ଅଫିସରେ ବୈଠକ ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ମେୟର।

ସେ କହିଛନ୍ତି ଯେ, ଏ ଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ। ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ। ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ।

ଏହି ଘଟଣାକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ମଧ୍ୟ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଛଡ଼ାଯିବନି। ଯିଏ ବି ଏକାଣ୍ଡ କରିଛି କାହାକୁ ଛଡ଼ାଯିବନି।

ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇସାରିଛନ୍ତି। ଗତ ଜୁନ 30 ତାରିଖରେ BMC ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଥିଲେ ଦୁର୍ବୃତ୍ତ । ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।

କାର୍ଯ୍ୟାଳୟରୁ ଘୋଷାଡି ନେବା ସହ ବିଧା, ଗୋଇଠା ମାରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଏହି ଭିଡିଓରେ। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ କିଏ ତାହା ସ୍ପଷ୍ଟ ହୋଇ ନ ଥିବା କହିଛି କମିସନରେଟ୍ ପୋଲିସ । କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିବେଳେ ଏ ଅଘଟଣ ଘଟିଥିବା ସୂଚନା ।