fbpx

ଓଡ଼ିଶାରେ ଆରମ୍ଭ ହେବ ଛେଳିଙ୍କ କୃତ୍ରିମ ପ୍ରଜନନ: ଦେଶରେ ପ୍ରଥମ ରାଜ୍ୟ, ବହୁଗୁଣିତ ହେବ ଚାଷୀଙ୍କ ଆୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛେଳି ଚାଷୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଆମମ୍ଭ ହେବ ଛେଳିମାନଙ୍କର କୃତ୍ରିମ ପ୍ରଜନନ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ଯୋଜନାରେ ଦେଢ଼ ଲକ୍ଷ ଛେଳିଙ୍କୁ ସାମିଲ କରାଯିବ । ଏହାଦ୍ୱାରା ଛେଳି ଚାଷୀଙ୍କ ଆୟ ବହୁଗୁଣିତ ହେବ । ଏଥିସହିତ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମନେ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ନିକଟରେ ରାଜ୍ୟ କୃଷି ଭବନରେ ଛେଳିଙ୍କ କୃତ୍ରିମ ପ୍ରଜନନ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଶ୍ରୀ ସ୍ୱାଇଁ । ଏହି ଅତ୍ୟାଧୁନିକ ପ୍ରଜନନ ବ୍ୟବସ୍ଥା ସାରା ରାଜ୍ୟରେ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଛେଳି ଉତ୍ପାଦନ ବୃଦ୍ଧି ବୃଦ୍ଧି ପାଇବ । ଲକ୍ଷାଧିକ ଛେଳିଙ୍କର କୃତ୍ରିମ ପ୍ରଜନନ କରିବାକୁ ପ୍ରାଣୀ ସମ୍ପଦ ବିଭାଗ ଲକ୍ଷ୍ୟ ରଖିଛି ।

ରାଜ୍ୟର ସମସ୍ତ ଜିଲ୍ଲାରେ ୫୬୫ଟି ଫିଲ୍ଡ ଏଆଇ ସେଣ୍ଟର ମାଧ୍ୟମରେ ଏହି ଯୋଜନାର କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ତଫସିଲଭୁକ୍ତ ଜାତି ଓ ଉପଜାତିର ଛେଳି ପାକଳଙ୍କୁ ପ୍ରାଥମିକତା ଦିଆଯିବ । କୃତ୍ରିମ ପ୍ରଜନନ ପରେ ଛେଳିଙ୍କ ଚିହ୍ନଟ ପାଇଁ ସେମାନଙ୍କୁ କାନନୋଳି ପିନ୍ଧାଯିବ । କୃତ୍ରିମ ଭାବେ ଜନ୍ମ ନେଇଥିବା ସମସ୍ତ ଛେଳିଙ୍କର ତଥ୍ୟ ସରକାରଙ୍କ ନିକଟରେ ଲିପିବଦ୍ଧ ରହିବ । ତେବେ ହିତାଧିକାରୀ ଚୟନ ଓ ଏହି ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.