fbpx

ରାଜ୍ୟର ପ୍ରଥମ ସରକାରୀ ଅନୁଷ୍ଠାନ: ଏମ୍ସ ଭୁବନେଶ୍ୱରରେ ଉଦଘାଟିତ ହେଲା ଲୋ ଭିଜନ କ୍ଲିନିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରଥମ ସରକାରୀ ଅନୁଷ୍ଠାନ ଭାବେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର)ରେ ଲୋ ଭିଜନ୍ କ୍ଲିନିକ୍ ଉଦଘାଟିତ ହୋଇଛି । ଏମ୍ସ ଦିଲ୍ଲୀ ଓ ଜର୍ମାନୀର ସିବିଏମ୍ ଅନୁଷ୍ଠାନ ସହଯୋଗରେ ସେବା ଯୋଗାଣ ହୋଇଛି । ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ନିରାଶ ହୋଇପଡ଼ିଥିବା ରୋଗୀଙ୍କ ପାଇଁ ଏହା ଆଶାର କାରଣ ସାଜିବ ।

ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ଦୈନନ୍ଦିନ ଜୀବନରେ ଆସୁଥିବା ଏକାଧିକ ପ୍ରତିବନ୍ଧକ ଏବଂ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏମସ ଭୁବନେଶ୍ୱର ଆଣିଦେଇଛି ଆଶାର କିରଣ । ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏମସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଉଦଘାଟିତ ହୋଇଛି ‘ଲୋ ଭିଜନ୍ କ୍ଲିନିକ୍’ । ଏହି ବିଶେଷ ଭିଜନ କ୍ଲିନିକ୍ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟିଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ । ଉପରୋକ୍ତ ଦୃଷ୍ଟିବାଧିତ ରୋଗୀମାନେ ଅସ୍ତ୍ରୋପଚାର କିମ୍ବା ଅନ୍ୟାନ୍ୟ ଚିକିତ୍ସା ସେବାରୁ କୌଣସି ଲାଭ ପାଇପାରନ୍ତି ନାହିଁ ଏବଂ ସେମାନଙ୍କର ସାମାଜିକ ଜୀବନ ବିଶେଷ ପ୍ରଭାବିତ ହୋଇଥାଏ । ସେମାନେ ସମାଜ ଓ ପରିବାର ଉପରେ ବୋଝ ଭାବି ନିରାଶ ହୋଇପଡ଼ିବା ସହିତ ହତାଶା ମଧ୍ୟରେ କାଳାତିପାତ କରନ୍ତି । ରାଜ୍ୟର ଯେକୌଣସି ସରକାରୀ ଅନୁଷ୍ଠାନ ମଧ୍ୟରେ ପ୍ରଥମ ଏହି ଲୋ ଭିଜନ୍? କ୍ଲିନିକ୍? ଉପରୋକ୍ତ ଦୃଷ୍ଟିଶକ୍ତିହୀନ ରୋଗୀଙ୍କ ପାଇଁ ଆଶାର ଏକ ନୂତନ ସୂର୍ଯ୍ୟୋଦୟ ଆଣିଦେବ ।

ଏମସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କ୍ଲିନିକକୁ ଉଦଘାଟନ କରିଥିଲେ । ଡ. ଆରପି ସେଣ୍ଟର, ଏମ୍ ନିୟୁଦିଲ୍ଲୀର ଡ. ପ୍ରବୀଣ ବଶିଷ୍ଟ, ଏମସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ ଡ. ପ୍ରଶାନ୍ତ ରାଘବ ମହାପାତ୍ରଙ୍କ ଉପସ୍ଥିତିରେ ଏହି କ୍ଲିନିକର ଶୁଭାରମ୍ଭ ହୋଇଯାଇଛି । ଡ. ଆରପି ସେଣ୍ଟର, ଏମସ ନିୟୁଦିଲ୍ଲୀ ଏବଂ ଜର୍ମାନୀର କ୍ରିଷ୍ଟୋଫେଲ୍ ବ୍ଲିଣ୍ଡେନ୍ ମିସନ୍ (ସିବିଏମ୍)ର ସହଯୋଗରେ ସ୍ଥାପିତ ଏହି କ୍ଲିନିକ୍ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ରୋଗୀଙ୍କ ପାଇଁ କାର୍ଯ୍ୟ କରିବ । ଏମସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଦୈନିକ କାର୍ଯ୍ୟକ୍ଷମ ଏହି କ୍ଲିନିକ୍ ଆବଶ୍ୟକ କରୁଥିବା ଲୋକଙ୍କୁ ଦୃଷ୍ଟିଶକ୍ତି ପୁନର୍ବାସ ସେବା ପ୍ରଦାନ କରିବାରେ ସହାୟକ ହେବ ଯାହାକି ସେମାନଙ୍କର ସାଧାରଣ ଜୀବନଯାପନ ପ୍ରଣାଳୀକୁ ସ୍ୱାଭାବିକ କରିବ ।
ଚକ୍ଷୁ ବିଭାଗର ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏମସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ କ୍ଲିନିକର ଦୂରଦର୍ଶୀ ପ୍ରଭାବ ଉପରେ ମତ ରଖିଥିଲେ । ନିୟମିତ ରୋଗୀ ପରାମର୍ଶ ଉପରେ ଗୁରୁତ୍ୱ ଦେବା ସହିତ ଏମସ ନୂଆଦିଲ୍ଲୀକୁ “ରୋଶନି’ ପ୍ରକଳ୍ପ ଅଧୀନରେ ସହାୟତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଯୋଜନା ମାଧ୍ୟମରେ ଦେଶର ବିଭିନ୍ନ ଏମସ ତଥା ପ୍ରତିଷ୍ଠିତ ଚକ୍ଷୁ ସେବା ପ୍ରତିଷ୍ଠାନରେ ଏପରି କ୍ଲିନିକ୍ ସ୍ଥାପନ ହେଉଛି । ଏଥିସହିତ ଡ. ବିଶ୍ୱାସ ଆଶା କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ଚକ୍ଷୁ ଯତ୍ନ ସମ୍ବନ୍ଧୀୟ ଜ୍ଞାନ ଆହରଣ ନିମନ୍ତେ ପ୍ରସ୍ତୁତ ତାଲିମ ମାନୁଆଲକୁ ଉନ୍ମୋଚନ କରିଥିଲେ ।

ରୋଗୀ କଲ୍ୟାଣ ଉପରେ ଏହାର ପ୍ରଭାବକୁ ପ୍ରକାଶ କରିବା ସହିତ ଏମସ ଭୁବନେଶ୍ୱର ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଚେତା ପରିଜା ଏହି କ୍ଲିନିକର କାର୍ୟ୍ୟକ୍ଷମତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏହି କ୍ଲିନିକରୁ ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ରୋଗୀ ଉପକୃତ ହୋଇସାରିଲେଣି । ଆଗାମୀ ଦିନରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ପୁନର୍ବାସ ନିମନ୍ତେ ବିଭିନ୍ନ ଦୃଷ୍ଟିହୀନ ବିଦ୍ୟାଳୟଗୁଡ଼ିକ ସହିତ ବୁଝାମଣା କରାଯିବ । ସେହିପରି ତୃଣମୂଳସ୍ତରରେ ପ୍ରାଥମିକ ଚକ୍ଷୁ ଚିକିତ୍ସା ପ୍ରଦାନ ନିମନ୍ତେ ଆଶା କର୍ମୀଙ୍କୁ ତାଲିମ ପ୍ରଦାନ ନିମନ୍ତେ ମଧ୍ୟ ଯୋଜନା ରହିଥିବା ଡ. ପରିଜା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.