fbpx

ଭୟଭୀତ ଥିବାରୁ ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବେ ନାହିଁ: ବିଜେପି

ଓଡ଼ିଶା ଭାସ୍କର: ବିଜେପି ପରେ ଲୋକସଭା ନିର୍ବାଚନ ପାଇଁ ଆଜି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ତେବେ ଏହାକୁ ନେଇ ଆଜିଠୁ କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି ବିଜେପି। ତେବେ ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀ ଭୟଭୀତ ଥିବା ବିଜେପି କହିଛି। ଯାହାକୁ ନେଇ ଜାତୀୟ ନିର୍ବାଚନ ମୈଦାନ ଆଜିଠୁ ସରଗରମ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି, ବିଜେପି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ୧୯୫ ଜଣଙ୍କ ନାମ ଘୋଷଣ କରିଥିବା ବେଳେ ଆଜି କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ କଂଗ୍ରେସର ବହୁ ହେବିୱେଟ ନେତାଙ୍କ ନାଁ ରହିଛି । ୱାଏନାଡରୁ ରାହୁଲଙ୍କ ନାଁ ଘୋଷଣା ହୋଇଥିବା ବେଳେ ଶଶୀ ଥରୁରଙ୍କୁ ଥିରୁବନନ୍ତପୁରମର ପ୍ରାର୍ଥୀ କରାଯାଇଛି । ସେହିପରି ରାଜନନ୍ଦଗାଁରୁ ଭୂପେଶ ବଘେଲ, ବେଙ୍ଗାଲୁରୁ ରୁରାଲରୁ ଡି.କେ. ସୁରେଶ, ମହାସମୁଦରୁ ତାମ୍ରଧ୍ଵଜ ସାହୁ, ହାସନରୁ ଶ୍ରେୟାସ ପଟାଲ, ପଟାନମିଥରୁ ଆଣ୍ଟୋ ଆଣ୍ଟୋନୀ, ସିକ୍କିମରୁ ଗୋପାଳ ଛେତ୍ରୀ ଏବଂ କୋଝିକୋଡରୁ ଏମ.କେ. ରାଘବନଙ୍କ ନାଁ ଘୋଷଣା କରାଯାଇଛି । ତେବେ କଂଗ୍ରେସର ଏହି ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ବିଜେପି ଆଇଟି ଅଧ୍ୟକ୍ଷ ଅମିତ ମାଲଭିୟ କହିଛନ୍ତି ଯେ, ପୃଥକ ଦକ୍ଷିଣ ଭାରତ ଦାବି କରୁଥିବା କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଭାଇ ଡି.କେ ସୁରେଶଙ୍କୁ ପୁଣିଥରେ ବେଙ୍ଗାଲୁରୁରୁ ଟିକେଟ ଦିଆଯାଇଛି। ଭାରତକୁ ବିଭାଜନ କରିବା କଂଗ୍ରେସର ଅଧୁରା ଏଜେଣ୍ଡା ଥିବାବେଳେ ସେଥିରୁ ସାବଧାନ ରୁହନ୍ତୁ ବୋଲି ସେ କହିଛନ୍ତି। ସେହିପରି ତାଲିକାରେ ରାହୁଲ ପୁଣି ୱାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ନେଇ ସେ ଟ୍ୱିଟରରେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବେ ନାହିଁ କାରଣ ସେ ଭୟଭୀତ ଅଛନ୍ତି।

ଉଲ୍ଲେଖ ଥାଉ କି, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଠି ଓ କେରଳର ୱାଏନାଡରୁ ପ୍ରାର୍ଥୀ ହୋଇଥିଲେ। ହେଲେ ୱାଏନାଡରୁ ରାହୁଲ ଜିତି ଥିବା ବେଳେ ଆମେଠିରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ପରାଜିତ ସାମ୍ନା କରିଥିଲେ। ଫଳରେ ତାଙ୍କୁ ପରମ୍ପରାଗତ ଆସନ ହରାଇବାକୁ ପଡ଼ିଥିଲା। ତେଣୁ ଏଥର ଉତ୍ତରପ୍ରଦେଶରେ ଦଳର ଦୁର୍ଗ ସୁଦୃଢ଼ କରିବାକୁ ରାହୁଲ ଆମେଠିରୁ ହିଁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପୂର୍ବ ନିର୍ବାଚନରେ ରାହୁଲଙ୍କୁ ୱାଏନାଡ଼ରେ ବିପୁଳ ଜନସମର୍ଥନ ମିଳିଥିବାରୁ ଏଥର ବି ସେଠାରୁ ହିଁ ସେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି।

Get real time updates directly on you device, subscribe now.