ପାକିସ୍ତାନରେ ଭୂକମ୍ପ ଆଣିଲା ସୁଯୋଗ, ଜେଲରୁ ଚମ୍ପଟ ମାରିଲେ 216 କଏଦୀ
କଏଦୀଙ୍କୁ ବି ରଖିପାରୁନି ପାକିସ୍ତାନ । ଭୂକମ୍ପ ଫାଇଦା ନେଇ ଜେଲ୍ରୁ ଚମ୍ପଟ ମାରିଛନ୍ତି ୨୦୦ ରୁ ଅଧିକ କଏଦୀ ।
ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ଗୋଟିଏ ପରେ ଗୋଟିଏ ଭୟଙ୍କର ଭୂକମ୍ପ ହେବାରେ ଲାଗିଛି । ଆଉ ଏହି ଭୂମ୍ପର ଫାଇଦା ଉଠଉଛନ୍ତି ପାକିସ୍ତାନ ଜେଲରେ ଥିବା କଏଦୀ । ଭୂମିକମ୍ପ ସମୟରେ, ସୁରକ୍ଷା କାରଣରୁ ଜେଲ ଅଧିକାରୀମାନେ କଏଦୀମାନଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରୁଥୁବା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଇଥିଲା । ଯାହାର ସୁଯୋଗ ନେଇ 216 ଜଣ କଏଦୀ ଖସି ପଳାଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରିପୋର୍ଟ ଅନୁଯାୟୀ, ଜୁନ୍ 2 ରାତିରେ କରାଚୀର ମଲୀର ଜେଲରେ ଯେତେବେଳେ ଭୂମିକମ୍ପ ହୋଇଥିଲା, ସେତେବେଳେ ସର୍କଲ ନମ୍ବର 4 ଏବଂ 5 ର 600ରୁ ଅଧିକ କଏଦୀ ସେମାନଙ୍କ ବାରାକ ବାହାରେ ବସିଥିଲେ । ଏହା ପରେ ଧାଁଦୌଡ଼ର ସୁଯୋଗ ନେଇ କଏଦୀମାନେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରିଥିଲେ । ଯାହା ଜେଲକୁ ‘ଯୁଦ୍ଧ କ୍ଷେତ୍ରରେ’ ପରିଣତ କରିଥିଲା।
ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜେଲ କର୍ତ୍ତୃପକ୍ଷ ଗୁଳି ଚଳାଇଲେ । ଏନକାଉଣ୍ଟର ସମୟରେ, ଦୁଇ ଜଣ ଫ୍ରଣ୍ଟିୟର୍ କର୍ପସ କର୍ମଚାରୀଙ୍କ ସମେତ ଅତି କମରେ ପାଞ୍ଚ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ ଏବଂ ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଜିନ୍ନା ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ତେବେ ଜେଲ ଅଧିକାରୀଙ୍କ ଅନୁଯାୟୀ, 80 ରୁ ଅଧିକ କଏଦୀଙ୍କୁ ପୁନର୍ବାର ଗିରଫ କରାଯାଇଛି।
ଜେଲ ସୁପରିଣ୍ଟେଣ୍ଡେଣ୍ଟ କ’ଣ କହିଛନ୍ତି?
ଜେଲ ସୁପରିଣ୍ଟେଣ୍ଡେଣ୍ଟ ଅର୍ଶଦ ଶାହ କହିଛନ୍ତି, “ଭୂମିକମ୍ପ ସମୟରେ 600 ରୁ ଅଧିକ କଏଦୀଙ୍କୁ ସେମାନଙ୍କ ବାରାକରୁ ବାହାରକୁ ନିଆଯାଇଥିଲା। ବିଶୃଙ୍ଖଳା ମଧ୍ୟରେ 216 କଏଦୀ ପଳାୟନ କରିଥିଲେ। 135 ରୁ ଅଧିକ କଏଦୀ ଏବେ ବି ଫେରାର ଅଛନ୍ତି ଏବଂ ସେମାନଙ୍କୁ ଘରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଫେରାର କଏଦୀମାନଙ୍କୁ ଖୋଜିବା ପାଇଁ ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ଏକ ମିଳିତ ଅଭିଯାନ ଆରମ୍ଭ କରିଛନ୍ତି।” ଏହା ସହ ପଳାୟନ କରିଥିବା କଏଦୀମାନଙ୍କୁ ଗିରଫ କରିବାରେ ଜନସାଧାରଣଙ୍କ ସହଯୋଗ ପାଇଁ ନିବେଦନ କରାଯାଇଛି ।