fbpx

ଅନିଲ କୁମ୍ବଲେଙ୍କ ମହାରେକର୍ଡ ଭାଙ୍ଗିଲେ ଅଶ୍ୱୀନ: ଟେଷ୍ଟ କ୍ରିକେଟରେ ୫୦୦ ଶିକାର କରି ରଚିଲେ ଇତିହାସ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଏକ ବିରାଟ ରେକର୍ଡ ନିଜ ନାମରେ କରିଛନ୍ତି ଟିମ ଇଣ୍ଡିଆର ଭେଟେରାନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ । ଟେଷ୍ଟ କ୍ରିକେଟରେ ସେ ନିଜ ନାମରେ ଏକ ଐତିହାସିକ ରେକର୍ଡ ସ୍ଥାପନ କରିବାରେ ସଫଳ ହୋଇ ପାରିଛନ୍ତି । ଟିମ ଇଣ୍ଡିଆର ପୂର୍ବତନ କୋଚ୍ ଅନିଲ କୁମ୍ବଲେଙ୍କୁ ପଛରେ ପକାଇ ଏହି ଇତିହାସ ସୃଷ୍ଟି କରିଛନ୍ତି ଅଶ୍ୱୀନ । ସବୁଠାରୁ ଦ୍ରୁତତମ ବୋଲର ଭାବରେ ଟେଷ୍ଟ କ୍ରିକେଟରେ ଅଶ୍ୱୀନ ୫୦୦ ୱିକେଟ ହାସଲ କରିଛନ୍ତି ।

ରାଜକୋଟରେ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ପାଇଁ ସ୍ପେଶାଲ ପାଲଟିଛି । ଏହି ମ୍ୟାଚରେ ସେ ଇଂଲଣ୍ଡର ଷ୍ୟାର ଓପନର ଜ୍ୟାକ କ୍ରଲିଙ୍କୁ ପ୍ରଥମ ଶିକାର ଭାବରେ ଜାଲରେ ଫସାଇଛନ୍ତି । ଏହି ୱିକେଟ ସହିତ ଅଶ୍ୱୀନ ଅନିଲ କୁମ୍ବଲେଙ୍କ ମହାରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆ ପାଇଁ ୫୦୦ ୱିକେଟ ହାସଲ କରିବାରେ ସବୁଠାରୁ ଦ୍ରୁତତମ ବୋଲର ଭାବରେ ଖ୍ୟାତି ଅର୍ଜନ କରିଛନ୍ତି ଅଶ୍ୱୀନ । ନିଜର ୧୮୪ତମ ଟେଷ୍ଟ ମ୍ୟାଚରେ ଅଶ୍ୱୀନ ୫୦୦ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ତାଲିକାରେ ଟିମ ଇଣ୍ଡିଆର ପୂର୍ବତନ କୋଚ୍ ଅନିଲ କୁମ୍ବଲେଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । କୁମ୍ବଲେ ୧୮୮ଟି ମ୍ୟାଚରେ ଏହି କାରନାମା କରିବାରେ ସକ୍ଷମ ହୋଇ ପାରିଥିଲେ ।

ବିଶ୍ୱ ଟେଷ୍ଟ କ୍ରିକେଟରେ ସବୁଠାରୁ ଦ୍ରୁତ ବୋଲର ଭାବରେ ୫୦୦ ୱିକେଟ ହାସଲ କରିଥିଲେ ପୂର୍ବତନ କ୍ରିକେଟର ମୁଥେୟା ମୁରଲୀଧରନ୍ । ଏହାପରେ ତୃତୀୟ ସ୍ଥାନରେ ଅନିଲ କୁମ୍ବଲେ ରହିଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର ବୋଲର ଶେନ୍ ୱାର୍ଣ୍ଣ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ତାଲିକାର ଶୀର୍ଷରେ ଥିବା ମୁରଲୀଧରନ୍ ୧୪୪ଟି ମ୍ୟାଚରେ ୫୦୦ ୱିକେଟ ନେବାରେ ସଫଳ ହୋଇଥିଲେ ।

Get real time updates directly on you device, subscribe now.