ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ଜଣେ ପୋଲିସ ବାବୁ । ନାବାଳିକା ଅପହରଣ ମାମଲାର ତଦନ୍ତ ପାଇଁ ବାବୁ ଜଣଙ୍କ ଲାଞ୍ଚ ମାଗିଥିଲେ । ଫଳରେ ନାବାଳିକାଙ୍କ ବାପା ଦୁଇଟି କିସ୍ତିରେ ଯଥାକ୍ରମେ ୫ ହଜାର ଓ ଅଢ଼େଇ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଏହାପରେ ବାବୁ ଜଣଙ୍କ ପୁଣି ଲାଞ୍ଚ ମାଗିବାରୁ ନାବାଳିକାଙ୍କ ବାପା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।
ଜଣାପଡ଼ିଛି ଯେ, ନାୟକାଣିଡିହି ଥାନା ଅନ୍ତର୍ଗତ ଖାଣ୍ଟୁଖୁଆଡ଼ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅ ଅପହୃତ ହୋଇଥିଲେ । ଏନେଇ ନାବାଳିକାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ । ଦାୟିତ୍ୱରେ ଥିବା ଏଏସଆଇ କୈଳାସ ଚନ୍ଦ୍ର ଖୁଣ୍ଟିଆ ଏ ବାବଦରେ ୧୦ ହଜାର ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଶ୍ରୀ ଖୁଣ୍ଟିଆଙ୍କୁ ସାଢ଼େ ୭ ହଜାର ଦିଆଯାଇଥିଲା । ଇତିମଧ୍ୟରେ ପୋଲିସ ନାବାଳିକାଙ୍କ ସମେତ ଅଭିଯୁକ୍ତକୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଥିଲା । ଏହାପରେ ପୁଣି ଶ୍ରୀ ଖୁଣ୍ଟିଆ ଆଉ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିବାରୁ ନାବାଳିକାଙ୍କ ବାପା ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଭିଜିଲାନ୍ସ ଶ୍ରୀ ଖୁଣ୍ଟିଆ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।