fbpx
BJD SKY
BJD SKY

ନ୍ୟୁଜିଲାଣ୍ଡକୁ ଘାରୁଛି ଆଫଗାନିସ୍ତାନ ସ୍ପିନରଙ୍କ ଭୟ ! ରଶିଦ ଓ ନବିଙ୍କ ଉପରେ ସଭିଙ୍କ ନଜର

BJD

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ଆରମ୍ଭ ହେବା ପୂର୍ବରୁ କେହି ହେଲେ ଭାବି ନଥିବେ ଯେ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ଏତେ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ହୋଇଯିବ । ଏହା ଏମିତି ଏକ ମୁକାବିଲା ଯାହା ଉପରେ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ନଜର ରହିଛି । ଆଫଗାନିସ୍ତାନର ପ୍ରତିଟି ରନରେ ଭାରତୀୟ ବଜାଇବେ ତାଳି । କାରଣ ଆଫଗାନିସ୍ତାନ ନିକଟରୁ ନ୍ୟୁଜିଲାଣ୍ଡ ମ୍ୟାଚ୍ ହାରିଲେ ଭାରତର ସେମି ଫାଇନାଲ ପ୍ରବେଶ ପଥ ପରିଷ୍କାର ହୋଇଯିବ । ପ୍ରଶ୍ନ ଉଠୁଛି ଏହି ମ୍ୟାଚରେ କେଉଁ ଦଳ ଉପରେ ଅଧିକ ଚାପ ରହିବ ? ଏହାର ଉତ୍ତର ସରଳ- ନ୍ୟୁଜିଲାଣ୍ଡ । ଭାରତକୁ ହରାଇବା ପରେ ନ୍ୟୁଜିଲାଣ୍ଡ ଏହା ଭାବି ନେଇଥିଲା ଯେ, ସେମି ଫାଇନାଲ ରାସ୍ତା ତା ପାଇଁ ସହଜ ହୋଇଯିବ । ମାତ୍ର ଭାରତୀୟ ଦଳର ଦୁଇ ଧମାକାଦାର ବିଜୟ ନ୍ୟୁଜିଲାଣ୍ଡ ଦଳକୁ ଅକଳରେ ପକାଇ ଦେଇଛି । ଏବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନ ସ୍ପିନରଙ୍କ ଭୟ ଘାରିବାରେ ଲାଗିଛି । ଏଥିରେ କୌଣସି ଦ୍ୱିମତ ନାହିଁ ଯେ, ଆଫଗାନିସ୍ତାନ ପାଖରେ ବିଶ୍ୱସ୍ତରୀୟ ସ୍ପିନର ଅଛନ୍ତି । ସମସ୍ତେ ମ୍ୟାଚର ଗତିପଥ ବଦଳାଇବାର ସାମର୍ଥ୍ୟ ରଖିଛନ୍ତି ।

ରଶିଦ ଖାନ ଓ ମହମ୍ମଦ ନବି ଏମିତି ଦୁଇ ବୋଲର ଯିଏ ବ୍ୟାଟସମ୍ୟାନଙ୍କୁ ବାନ୍ଧି ରଖିବା ସହ ଚାପରେ ରଖିଥାନ୍ତି । ରଶିଦ ଚଳିତ ଟି-୨୦ ବିଶ୍ୱ କପରେ ୪ ମ୍ୟାଚରୁ ୭ ୱିକେଟ୍ ନେଇ ସାରିଛନ୍ତି ଏବଂ ତାଙ୍କର ଇକୋନୋମି ରେଟ୍ ୬ରୁ ତଳେ ରହିଛି । ଏହା ବ୍ୟତୀତ ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନର ଅଧିନାୟକ ତଥା ଅଫ ସ୍ପିନର ମହମ୍ମଦ ନବି ମଧ୍ୟ ମୁସ୍କିଲରେ ପକାଇ ପାରନ୍ତି । ସେ ମଧ୍ୟ ବିଶ୍ୱ କପରେ ଭଲ ବୋଲିଂ କରୁଛନ୍ତି ।

ନ୍ୟୁଜିଲାଣ୍ଡକୁ ମଇଦାନ ଡର !

ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଥର ବିଶ୍ୱ କପରେ ଆବୁଧାବି ମଇଦାନରେ ଖେଳିବ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ସମସ୍ତ ମ୍ୟାଚ୍ ସାରଜା ଓ ଦୁବାଇରେ ଖେଳିଛି । ଅର୍ଥାତ ଦଳ ଏବେ ନୂତନ ପଡିଆରେ ମ୍ୟାଚ୍ ଖେଳିବ । ଅନ୍ୟପଟେ ଆଫଗାନିସ୍ତାନ ଏଠାରେ ପୂର୍ବରୁ ଦୁଇଟି ମ୍ୟାଚ୍ ଖେଳି ସାରିଛି । ଆବୁଧାବିରେ ୮ଟି ମ୍ୟାଚରେ ସ୍ପିନର ଏ ପର୍ଯ୍ୟନ୍ତ ୨୬ ୱିକେଟ୍ ନେଇ ସାରିଛନ୍ତି । ଏଠାରେ ସ୍ପିନର ୨୩ତମ ବଲରେ ୱିକେଟ୍ ନେଉଛନ୍ତି । ଚଳିତ ବିଶ୍ୱ କପରେ ଶ୍ରୀଲଙ୍କାର ମିଷ୍ଟ୍ରି ସ୍ପିନର ମହୀଶ ତୀକ୍ଷଣା ୬ ୱିକେଟ୍ ନେଇଛନ୍ତି । ସୁପର ୧୨ ରାଉଣ୍ଡରେ ଏ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ସ୍ପିନରଙ୍କ ବିରୋଧରେ ୪ଟି ମ୍ୟାଚରେ ୬.୪୩ ହାରରେ ରନ କରିଛନ୍ତି । କିନ୍ତୁ ବ୍ୟାଟସମ୍ୟାନ ଏହି ସ୍ପିନରଙ୍କ ବିରୋଧରେ ୫ ଥର ଆଉଟ୍ ହୋଇଛନ୍ତି ।

ନ୍ୟୁଜିଲାଣ୍ଡର ଆଉ ଏକ ବଡ ସମସ୍ୟା ଦଳ ପାୱାର ପ୍ଲେରେ ଦ୍ରୁତ ରନ ସଂଗ୍ରହ କରିବାରେ ବିଫଳ ହୋଇଛି । ପାୱାର ପ୍ଲେରେ ଦଳର ରନରେଟ୍ ମାତ୍ର ୬.୨୦ ରହିଛି । ସେହି ପରି ଡେଥ୍ ଓଭର୍ସରେ ମଧ୍ୟ ନ୍ୟୁଜିଲାଣ୍ଡର ଅବସ୍ଥା ସେତେ ଭଲ ନୁହେଁ । କିୱି ବ୍ୟାଟସମ୍ୟାନ ଡେଥ ଓଭରରେ ୯.୨୭ ରନ ରେଟରେ ରନ କରିଛନ୍ତି । କିନ୍ତୁ ଆଫଗାନିସ୍ତାନ ଏହି ଲିଷ୍ଟରେ ଶୀର୍ଷରେ ରହିଛି । ଆଫଗାନିସ୍ତାନ ଡେଥ ଓଭର୍ସରେ ୧୧.୨୭ ରନ ରେଟରେ ରନ ସଂଗ୍ରହ କରିଛି ।

Get real time updates directly on you device, subscribe now.