Asia Cup 2025: କେବେ, କେଉଁଠି, କାହାକୁ ମଇଦାନରେ ଭେଟିବ ଟିମ୍ ଇଣ୍ଡିଆ; ଜାଣି ନିଅନ୍ତୁ ପୁରା ସିଡ୍ୟୁଲ୍

ଏସିଆ କପ୍ ୨୦୨୫ ୯ ସେପ୍ଟେମ୍ବର ଅର୍ଥାତ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏଥର ଏସିଆ କପ୍ ଟି୨୦ ଫର୍ମାଟରେ ଖେଳାଯିବାକୁ ଅଛି। ତେବେ ଏହା ପୂର୍ବରୁ ଜାଣି ନିଅନ୍ତୁ କେବେ, କେଉଁଠି, କାହାକୁ ମଇଦାନରେ ଭେଟିବ ଟିମ୍ ଇଣ୍ଡିଆ ।

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ୯ ସେପ୍ଟେମ୍ବର ଅର୍ଥାତ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏଥର ଏସିଆ କପ୍ ଟି୨୦ ଫର୍ମାଟରେ ଖେଳାଯିବାକୁ ଅଛି। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରୁ ଏହାର ଅଭିଯାନ ଆରମ୍ଭ କରିବ।

ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଭାରତକୁ ଗ୍ରୁପ-ଏରେ ରଖାଯାଇଛି। ଭାରତ ଏବଂ ପାକିସ୍ତାନ ସମାନ ଗ୍ରୁପରେ ଅଛନ୍ତି। ଏମାନଙ୍କ ବ୍ୟତୀତ ୟୁଏଇ ଏବଂ ଓମାନ ଦଳ ମଧ୍ୟ ଗ୍ରୁପ-ଏରେ ସାମିଲ ଅଛନ୍ତି। ଆସନ୍ତୁ ଜାଣିବା ଭାରତୀୟ ଦଳ ଗ୍ରୁପ-ଏରେ କେବେ ଏବଂ କାହା ସହିତ ମୁକାବିଲା କରିବ…

୧୦ ସେପ୍ଟେମ୍ବରରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ୟୁଏଇ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହା ଗ୍ରୁପ-ଏର ପ୍ରଥମ ମ୍ୟାଚ୍ ହେବ। ଟି୨୦ରେ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଟିମ୍ ଇଣ୍ଡିଆ ୯ ୱିକେଟରେ ବିଜୟୀ ହୋଇଥିଲା। ୨୦୧୬ରେ ମିରପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ୟୁଏଇକୁ ୯ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ୨୦୦୭ ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ମୋଟ ୧୩ ଟି ଟି-୨୦ ମ୍ୟାଚ୍ ଖେଳିଛି। ଭାରତ ୯ ଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ୩ଟି ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ହୋଇଥିଲା।

ଟିମ୍ ଇଣ୍ଡିଆ ୧୯ ସେପ୍ଟେମ୍ବରରେ ଓମାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ। ଏହି ମ୍ୟାଚ୍ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ଟିମ୍ ଇଣ୍ଡିଆ ଏବଂ ଓମାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ କ୍ରିକେଟ୍ ମ୍ୟାଚ୍ ହେବ।

ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ୍ (ଉପଅଧିନାୟକ) ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଜିତେଶ ଶର୍ମା, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରିତ ବୁମରାହ।