fbpx

ଏସିଆ କପ୍: ଚୀନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଦଳ

ମସ୍କଟ: ଗତ ଥରର ଚାମ୍ପିଅନ ଭାରତୀୟ ମହିଳା ହକି ଦଳ ଶୁକ୍ରବାର ଏଠାରେ ଚୀନକୁ ୨-୦ରେ ହରାଇ ମହିଳା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଭାରତୀୟ ଦଳ ଦକ୍ଷିଣ କୋରିଆ ନିକଟରୁ ପରାଜିତ ହୋଇ ଟାଇଟଲ୍ ମୁକାବିଲାରୁ ବାଦ୍ ପଡିଥିଲା। ତେବେ ଦଳ ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ କରି ପ୍ରଥମ ଦୁଇଟି କ୍ଵାର୍ଟରରେ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ଏହି ସମୟରେ ଦଳ ଦୁଇଟି ଗୋଲ୍ ଦେଇ ହାପ୍ ଟାଇମ୍ ପର୍ଯ୍ୟନ୍ତ ଚୀନ ବିରୋଧରେ ୨-୦ରେ ଅଗ୍ରଣୀ ହାସଲ କରିଥିଲେ । ତେବେ ଦ୍ଵିତୀୟ ଦଳ ହାପରେ କୌଣସି ଗୋଲ୍ ଦେଇ ପାରିନଥିଲେ ବି ଏହି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବାରେ ସଫଳ ହୋଇଥିଲା ।

ଭାରତୀୟ ଦଳ ପକ୍ଷରୁ ୧୩ତମ ମିନିଟରେ ଶର୍ମିଲା ଗୋଲ୍ ସ୍କୋର କରିଥିଲେ । ଏହା ପରେ ଖେଳର ୧୯ତମ ମିନିଟରେ ପେନାଲ୍ଟି କର୍ଣ୍ଣର ହାସଲ କରିଥିବା ଭାରତ ପକ୍ଷରୁ ଦ୍ଵିତୀୟ ଗୋଲ୍ ଗୁରଜିତ ଦେଇଥିଲେ । ଏହି ପରି ଦଳ ୨-୦ରେ ଅଗ୍ରଣୀ ହାସଲ କରିଥିଲା । ତେବେ ଭାରତୀୟ ଗୋଲ୍ କିପର ତଥା ଅଧିନାୟକ ସବିତା ପୁନିଆ ଦମଦାର ପ୍ରଦର୍ଶନ କରି ଦଳକୁ ଗୋଲ୍ ଭୋଗିବାକୁ ଦେଇନଥିଲେ । ସେ ଚୀନର ପ୍ରତିଟି ଆକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇଥିଲେ ।

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନରେ ରହିବା ପରେ କୋଭିଡ୍-୧୯ ମହାମାରୀ କାରଣରୁ ମ୍ୟାଚରେ ଅଭ୍ୟାସର ପରିଣାମ ଭାରତୀୟ ଦଳକୁ ଭୋଗିବାକୁ ପଡିଛି । ଦଳ ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲା ଏବଂ ଟାଇଟଲ୍ ଦୌଡରୁ ବାଦ୍ ପଡିଥିଲା। ପ୍ରଥମ ମ୍ୟାଚରେ ଦୁର୍ବଳ ମାଲେସିଆକୁ ୯-୦ରେ ହରାଇବା ପରେ ଦ୍ଵିତୀୟ ମ୍ୟାଚରେ ଜାପାନ ନିକଟରୁ ୦-୨ରେ ପରାଜିତ ହୋଇଥିଲା । ଏହା ପରେ ଦଳ ସିଙ୍ଗାପୁରକୁ ୯-୧ରେ ମାତ୍ ଦେଇ ସେମି ଫାଇନାଲରେ ପ୍ରବେଶ କରିଥିଲା।

Get real time updates directly on you device, subscribe now.