fbpx

Asian Champions Trophy; ଚକମା ଖାଇଲା ଚୀନ, ପଞ୍ଚମ ଥର ଟାଇଟଲ ହାସଲ କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଏସିଆନ୍ ଚମ୍ପିଆନ୍ସ ଟ୍ରପିରେ ମଧ୍ୟ ରେକର୍ଡ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଫାଇନାଲରେ ଆୟୋଜକ ଚୀନକୁ ଚକମା ଦେଇ ପାଲଟିଛି ଚମ୍ପିଆନ୍ । ଟୁର୍ଣ୍ଣାମେଣ୍ଟରେ ଡ୍ରାଗନକୁ ୧-୦ରେ ପରାସ୍ତ କରି ଭାରତ ପଞ୍ଚମ ଥର ପାଇଁ ଏହି ଟାଇଟଲ ନିଜ ନାମରେ କରିବାରେ ସଫଳ ହୋଇଛି । ଫାଇନାଲ ମ୍ୟାଚରେ ଉଭୟ ଦଳ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଥିବା ବେଳେ ଶେଷରେ ବିଜୟ ମୁକୁଟ ପିନ୍ଧିଛି ଭାରତୀୟ ହକି ଟିମ୍ । ମ୍ୟାଚ୍ ଶେଷ ସମୟ ପର୍ଯ୍ୟନ୍ତ ୦-୦ରେ ବରାବର ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଗୋଲ୍ କରି ଭାରତ ଫାଇନାଲ ମ୍ୟାଚ୍ ସହ ଟ୍ରଫି ନିଜ ନାମରେ କରିଛି ।

ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଆଉ ଏକ ସଫଳତା ହାସଲ କରିଛି ଭାରତୀୟ ହକି ଟିମ୍ । ଏସିଆନ୍ ଚମ୍ପିଆନ୍ସ ଟ୍ରଫି -୨୦୨୪ରେ କମାଲ ପ୍ରଦର୍ଶନ କରି ଭାରତ ଚମ୍ପିଆନ୍ ମୁକୁଟ ଉପରେ କବଜା କରିଛି । ଚୀନକୁ ଫାଇନାଲ ମ୍ୟାଚରେ କଡ଼ା ଟକ୍କର ଦେଇ ଟ୍ରଫି ନିଜ ନାମରେ କରିବା ସହ ନୂଆ ରେକର୍ଡ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ କେବଳ ଗୋଟିଏ ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିବା ବେଳେ ଚୀନ୍ କୌଣସି ଗୋଲ୍ କରିପାରି ନାହିଁ । ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କ୍ୱାର୍ଟରରେ ଉଭୟ ଦଳ କୌଣସି ଗୋଲ୍ ସ୍କୋର କରିବାରେ ସଫଳ ହୋଇନଥିଲେ । ତେବେ ଚତୁର୍ଥ କ୍ୱାର୍ଟରର ଦଶମ ମିନିଟରେ ଡିଫେଣ୍ଡର ଯୁଗରାଜ ସିଂହ ଦଳ ତରପରୁ ଏକମାତ୍ର ଗୋଲ୍ ସ୍କୋର କରିଛନ୍ତି । ତେବେ ମ୍ୟାଚର ଶେଷ ସମୟରେ ଏକ ଗୋଲ୍ କରି ଭାରତକୁ ବିଜୟ ଭେଟି ଦେଇଛନ୍ତି ଯୁଗରାଜ ।

ଏହି ବିଜୟ ସହ ଭାରତ ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛି । ଭାରତ ଏହାସହିତ ପଞ୍ଚମ ଥର ପାଇଁ ଏସିଆପ୍ ଚମ୍ପିଆନ୍ସ ଟ୍ରଫି ହାସଲ କରିବାରେ ସଫଳ ହୋଇଛି । ୨୦୧୧ରେ ଏହାର ପ୍ରଥମ ସିଜନ ହୋଇଥିଲା ବେଳେ ପାକିସ୍ତାନକୁ ହରାଇ ଭାରତ ଚମ୍ପିଆନ୍ ହୋଇଥିଲା । ଏହାପରେ ୨୦୧୩, ୨୦୧୮ ଏବଂ ୨୦୨୩ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଚମ୍ପିଆନ୍ ଭାବରେ ଟ୍ରଫି ଉଠାଇଥିଲା ଟିମ ଇଣ୍ଡିଆ । ତେବେ ୨୦୧୮ ମସିହାରେ ଭାରତ ଏବଂ ପାକିସ୍ତାନ ଉଭୟ ଯୁଗ୍ମ ବିଜେତା ଭାବରେ ଘୋଷଣା ହୋଇଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜିତ ଦଳ ଭାବରେ ଏସିଆ ହକି ଜଗତ ଉପରେ ଆଧିପତ୍ୟ ହାସଲ କରିଛି । ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ଲଗାତାର ୬ଟି ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ମଧ୍ୟ ଚୀନକୁ ପରାସ୍ତ କରି ଭାରତ ସପ୍ତମ ବିଜୟ ସହ ଚମ୍ପିଆନ୍ ପାଲଟିଛି । ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଭାବରେ ଲିଗ୍ ପର୍ଯ୍ୟାୟରୁ ଫାଇନାଲ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି ।

Get real time updates directly on you device, subscribe now.