fbpx

ASM ଜାଣିଥିଲେ ସିଗନାଲ ତ୍ରୁଟି: ଷ୍ଟେସନ ମାଷ୍ଟର ଯାଞ୍ଚ ନ କରିବାରୁ ଦୁର୍ଘଟଣା ଘଟିଥିଲା, CBI ହାତରେ ଲାଗିଲା ବଡ଼ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖରେ ବାହାନଗାରେ ଘଟିଥିବା ଛାତିଥରା ଟ୍ରେନ ଦୁର୍ଘଟଣାର ଦୁଃଖ ଆଜି ବି ସରିନାହିଁ । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏବେ ବି ଶହ ଶହ ଯାତ୍ରୀ ଚିକିତ୍ସିତ ହେଉଛନ୍ତି । ସିଗନାଲ ଜନିତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏହି ଘଟଣାର ଯାଞ୍ଚ ସିବିଆଇ କରୁଛି । ତେବେ ଏହା ମଧ୍ୟରେ ସିବିଆଇ ଯାଞ୍ଚ ବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ।

ଜଣାପଡ଼ିଛି ଯେ, ବାହାନଗା ଦୁର୍ଘଟଣା ପୂର୍ବରୁ ସିଗନାଲ ଜନିତ ତ୍ରୁଟି ପୂର୍ବରୁ ଜଣାପଡ଼ିଥିଲା । ଜୁନ ୨ ତାରିଖ ସକାଳେ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର (ଏଏସଏମ)ଙ୍କୁ ଏହି ତ୍ରୁଟି ବିଷୟରେ କର୍ମଚାରୀ ଅବଗତ କରାଇଥିଲେ । ଏହାପରେ ଏଏସଏମ ଉକ୍ତ ଟେକ୍ନିସିଆନଙ୍କୁ ଡାକିଥିଲେ ମାତ୍ର ସେ ଆସିବାରେ ବିଳମ୍ବ କରିଥିଲେ । ଏହାପରେ ଏଏସଏମ ଟେକ୍ନିସିଆନଙ୍କୁ ଫୋନ୍ କରିବା ସହ ଟ୍ରେନ ଚଳାଚଳ ପାଇଁ ଅସ୍ଥାୟୀ ଭାବେ ଠିକ୍ କରିବାକୁ କହିଥିଲେ । ଏହାପରେ ଟେକ୍ନିସିଆନ ୧୧ଟା ସମୟରେ ସିଗନାଲ ସିଷ୍ଟମକୁ ଅସ୍ଥାୟୀ ଭାବେ ଠିକ୍ କରିଦେଇଥିଲେ ।

ତେବେ ଉକ୍ତ ସିଗନାଲ ଠିକ୍ ଭାବେ କାମ କରୁଛି କି ନା ସେନେଇ ଏଏସଏମ ଯାଞ୍ଚ କରିନଥିଲେ । ତେଣୁ ସନ୍ଧ୍ୟା ସମୟରେ ସେଥିରେ ପୁଣି ଗଡ଼ବଡ଼ି ଦେଖାଦେଇଥିଲା ଓ ଏତେବଡ଼ ଦୁର୍ଘଟଣା ଘଟିଥିଲା ବୋଲି ସିବିଆଇ ଜାଣିବାକୁ ପାଇଛି । ଏହି ତ୍ରୁଟି କାରଣରୁ କରମଣ୍ଡଳ ଏକ୍ସପ୍ରେସ ମେନ୍ ଲାଇନକୁ ନଯାଇ ଲୁପ୍ ଲାଇନକୁ ପଶିଯାଇଥିଲା । ଏନେଇ ସିବିଆଇ ଏସଏମ, ଏଏସଏମ, ଟେକ୍ନିସିଆନଙ୍କୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ଜେରା କରୁଛି । ଏହି ଦୁର୍ଘଟଣାକୁ ଏହା ମଧ୍ୟରେ ୧୦ ଦିନ ପୂରିଥିବା ବେଳେ ଏବେ ବି ଅନେକଙ୍କ ଶବ ଚିହ୍ନଟ ହୋଇ ପାରିନାହିଁ ।

Get real time updates directly on you device, subscribe now.