ନୁଆଦିଲ୍ଲୀ: ଲଗାତାର ବର୍ଷାରେ ଆସାମାରେ ବନ୍ୟା ପରିସ୍ଥିତି ଉପୁଜିବା ସହିତ ଭୁସ୍ଖଳନ ମଧ୍ୟ ଘଟିଛି । ଏହା ପ୍ରଭାବରେ ୭ ଜିଲ୍ଲାର ପ୍ରାୟ ୫୭,୦୦୦ ଲୋକେ ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ତିନି ମୃତ୍ୟୁ ମାମଲା କାଚର ଜିଲ୍ଲାରୁ ଆସିଛି । କାଚର, ଧିମାଜି, ହୁଜ୍, କାର୍ବି ଆଞ୍ଜେଲଙ୍ଗ୍ ୱେଷ୍ଟ୍, କାମ୍ରୁପ୍ (ଏମ), ନାଗାଓନ୍ ଏବଂ ନାଲବାରୀ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ରାଜ୍ୟର ଡିମା ହାସାଓ ରେଳ ଷ୍ଟେସନ ବର୍ତ୍ତମାନ ପାଣି ଘରରେ ରହିଛି । ବନ୍ୟାପରିସ୍ଥିତି ଯୋଗୁଁ ଜିଲ୍ଲା ସହିତ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୨୨୨ ଗ୍ରାମ ପ୍ରବଳ ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଲୋକମାନଙ୍କ ସାହାଯ୍ୟ କରିବା ଲାଗି ଆସାମ ସରକାରଙ୍କ ପକ୍ଷରୁ ରିଲିଫ୍ କ୍ୟାମ୍ପ ସ୍ଥାପନା କରାଯିବା ସହ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ମୁତାବକ ପ୍ରାୟ ୧୦୩୨୧.୪୪ ହେକ୍ଟର ଚାଷ ଜମୀ ବର୍ଷା ଜଳରେ ବୁଡ଼ି ରହିଛି ।
ନ୍ୟୁ କକୁଞ୍ଜୁଙ୍ଗ, ପିଆଙ୍ଗପୁଇ, ମୌଲଇ, ନାମଜେରୁଙ୍ଗ, ଦକ୍ଷିଣ ବାଗେଟର, ମହାଦେବ ଟିଲା, କାଲିବାରୀ. ଉତ୍ତର ବାଗେଟର, ସିୟୋନ ଏବଂ ଲୋଡି ପାଙ୍ଗମୁଲ ଗ୍ରାମରେ ଭୁସ୍ଖଳନ ହୋଇଥିବା ସୂଚନା ମିଳିଛି । ସରକାରଙ୍କ ତରଫରୁ ଭାରତୀୟ ସେନା, ପାରାମିଲିଟାରୀ, ଅଗ୍ନିଶମ ବାହିନୀ, ଏସଡିଆରଏଫ, ସାଧାରଣ ପ୍ରସାସନ ଏବଂ ପ୍ରଶିକ୍ଷିତ ଭଲ୍ୟୁଣ୍ଟର ମାନଙ୍କୁ ନିୟୋଜିତ କରାଯାଇ ଉଦ୍ଧାର କାର୍ଯ୍ୟ କରାଯାଉଛି ।
ତେବେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୁର୍ବାନୁମାନ କରିଛି ଯେ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ଏବଂ ସିକିସମରେ ଆଗାମୀ ୪ଦିନ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି । ସେହିପରି ମେଘାଳୟରେ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।