ଜ୍ୟୋତିର୍ବିଜ୍ଞାନୀଙ୍କ ବଡ଼ ଆବିଷ୍କାର: ମହାକାଶରେ ଜଟିଳ କାର୍ବନ ଅଣୁର ସନ୍ଧାନ, ବ୍ରହ୍ମାଣ୍ଡରେ ଜୀବନ ସୃଷ୍ଟିର ରହସ୍ୟ ଖୋଜିବା ସହଜ ହେବ

ନୂଆଦିଲ୍ଲୀ: ଜୀବନ ସୃଷ୍ଟିର ରହସ୍ୟ ଉନ୍ମୋଚନ ନେଇ ମିଳିଛି ଏକ ବଡ଼ ସଫଳତା । ମହାକାଶରେ ଜଟିଳ କାର୍ବନ ଅଣୁର ସନ୍ଧାନ ମିଳିଛି । ଜୀବନ ସୃଷ୍ଟିର ରହସ୍ୟ ଖୋଜିବାରେ ଏହା ବେଶ୍ ସହାୟତା କରିବ । ଆମେରିକାର ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏମଆଇଟି)ର ବୈଜ୍ଞାନିକଙ୍କ ଏକ ଟିମ୍ କାର୍ବନଯୁକ୍ତ ବଡ଼ ଅଣୁର ସନ୍ଧାନ କରିଛନ୍ତି । ଗ୍ୟାସ ଓ ଧୂଳିର ଏକ ସୁଦୂର ଇଣ୍ଟରଷ୍ଟେଲାର କ୍ଲାଉଡରେ ଏହି ସନ୍ଧାନ କରାଯାଇଛି । ତେବେ ଆଗାମୀ ଦିନରେ ବ୍ରହ୍ମାଣ୍ଡରେ ଜୀବନ ସୃଷ୍ଟିର ରହସ୍ୟକୁ ବୈଜ୍ଞାନିକମାନେ ଖୋଜିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଆମେରିକୀୟ ବୈଜ୍ଞାନିକଙ୍କ ଏହି ଆବିଷ୍କାର ତଥ୍ୟ ‘ସାଇନ୍ସ’ ନାମକ ଏକ ପତ୍ରିକାରେ ରିପୋର୍ଟ ପ୍ରକାଶିତ ହୋଇଛି । ଜଟିଳ କାର୍ବନ ଅଣୁ (କାର୍ବନ ଓ ହାଇଡ୍ରୋଜେନ ସହ) ସମ୍ଭବତଃ ଥଣ୍ଡା, କଳା ଗ୍ୟାସ ବାଦଲରେ ରହିଥିଲା, ଯାହାକି ଆମର ସୌର ମଣ୍ଡଳକୁ ଜନ୍ମ ଦେଇଛି ବୋଲି ବୈଜ୍ଞାନିକମାନେ କହିନ୍ତି । ଏଥିସହିତ ଏହି ଅଣୁ ପୃଥିବୀ ନିର୍ମାଣ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଏକତ୍ର ରହିଥିଲା । ଆମ ଗ୍ରହରେ ଜୀବନର ପ୍ରାରମ୍ଭିକ ସୃଷ୍ଟିକୁ ବୁଝିବା ଦିଗରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ଅଣୁକୁ ପାଇରୀନ କୁହାଯାଉଛି, ଯାହାକି ଏକ ପଲିସାଇକ୍ଲିକ ଏରୋମେଟିକ ହାଇଡ୍ରୋକାର୍ବନ ବା ସଂକ୍ଷେପରେ (ପିଏଏଚ) ଅଟେ ।