ରିଲିଫ୍ ଅପେକ୍ଷା କରିଥିବା ପାଲେଷ୍ଟାଇନୀମାନଙ୍କ ଉପରେ ପୁଣି ଗୁଳିମାଡ଼, ୭୩ ଜଣଙ୍କ ମୃତ୍ୟୁ
ଗାଜାରେ ପାଲେଷ୍ଟାଇନୀଙ୍କ ଉପରେ ଗୁଳିମାଡ଼ ।
ନୂଆଦିଲ୍ଲୀ: ଗାଜାରେ ରିଲିଫ୍ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଗୁଳିମାଡ଼ ହୋଇଛି । ଏଥିରେ ୭୩ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ରବିବାର ଗାଜା ଷ୍ଟ୍ରିପରେ ମୃତକମାନେ ବିଭିନ୍ନ ସ୍ଥାନରେ ରିଲିଫ୍ ସାମଗ୍ରୀ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଇସ୍ରାଏଲୀ ସେନା ଗୁଳି ଚଳାଇଥିଲା।
ଅଧିକାଂଶ ମୃତ୍ୟୁ ଉତ୍ତର ଗାଜାରେ ଘଟିଛି, ଯେଉଁଠାରେ ଜିକିମ୍ କ୍ରସିଂ ଦେଇ ରିଲିଫ୍ ପାଇବାକୁ ଚେଷ୍ଟା କରୁଥିବା ପାଲେଷ୍ଟାଇନୀଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାରେ ୧୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।
ପ୍ରତିକ୍ରିୟା ଦେଇନି ଇସ୍ରାଏଲ- କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ ଇସ୍ରାଏଲୀ ସୈନିକମାନେ ଭିଡ଼ ଉପରେ ଗୁଳି ଚଳାଇଥିଲେ । କିନ୍ତୁ ଏହା ସରକାରୀ ଭାବରେ ସ୍ପଷ୍ଟ ନୁହେଁ ଯେ ଏହି ଲୋକମାନେ ଇସ୍ରାଏଲୀ ସେନାର କାର୍ଯ୍ୟାନୁଷ୍ଠାନରେ କିମ୍ବା କୌଣସି ସଶସ୍ତ୍ର ଗୋଷ୍ଠୀ ଦ୍ୱାରା କିମ୍ବା ଉଭୟଙ୍କ ମିଳିତ ଗୁଳିଚାଳନାରେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ଉପରେ ଇସ୍ରାଏଲୀ ସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ମନ୍ତବ୍ୟ ଦିଆଯାଇ ନାହିଁ।
ଶନିବାର ମଧ୍ୟ 32 ଜଣଙ୍କର ମୃତ୍ୟୁ ହୋଇଛି-ଏହାର ଗୋଟିଏ ଦିନ ପୂର୍ବରୁ, ଶନିବାର ମଧ୍ୟ ଦକ୍ଷିଣ ଗାଜାରେ ଖାଦ୍ୟ ନେବାକୁ ଯାଉଥିବା 32 ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଥିଲା। ଏହି ଲୋକମାନେ ଖାଦ୍ୟ ସାମଗ୍ରୀ ପାଇବା ପାଇଁ ଆମେରିକା ଏବଂ ଇସ୍ରାଏଲ ସମର୍ଥିତ ସଂଗଠନ ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ (GHF) ର ବଣ୍ଟନ କେନ୍ଦ୍ରକୁ ଯାଉଥିଲେ । ଘଟଣାର ପ୍ରତ୍ୟକ୍ଷଦର୍ଶୀ ଏବଂ ହସ୍ପିଟାଲ ଅଧିକାରୀମାନେ ଏହି ଭୟଙ୍କର ଘଟଣାକୁ ନିଶ୍ଚିତ କରିଛନ୍ତି।