ଭୁବନେଶ୍ୱର: ସାରା ରାଜ୍ୟର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରି ପକାଇଛି । ରାତି ପାଇ ସକାଳ ହେଲାବେଳକୁ ତାପମାତ୍ରା ୪୦ ଛୁଇଁଯାଉଛି । ୯ଟା ବାଜିଲା ବେଳକୁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଥିବା ବେଳେ ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନସିପ୍ । ଲଗାତାର ଦୁଇ ଦିନ ହେଲା ଭୂବନେଶ୍ୱରରେ ତାପମାତ୍ରା ୪୪ ଡିଗ୍ରୀ ପାର କରିଛି । ଭୁବନେଶ୍ୱରରେ ତାପମାତ୍ରା ୧୪ ବର୍ଷର ରେକର୍ଡକୁ ଭାଙ୍ଗିଛି । ଏଭଳି ଡହଡହ ଖରାରେ ଖେଳାଳିମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସଂଘର୍ସ କରୁଛନ୍ତି ।
ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଦ୍ୱିତୀୟ ଦିନ ଡେକାଥଲେଟ୍ ତେଜସ୍ୱିନ୍ ଶଙ୍କରଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା । ପରେ, ଷ୍ଟିପ୍ଲେଜ୍ ସ୍ୱର୍ଣ୍ଣ ପଦକ ବିଜେତା ବାଲକିଶାନ୍ ମଧ୍ୟ ତାଙ୍କ ଇଭେଣ୍ଟ ପରେ ବାନ୍ତି କରୁଥିବା ଦେଖିବାକୁ ମିଳିଥିଲା ।
ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚାପ ଥିବା ବେଳେ ଭାରତୀୟ ଆଥଲେଟ୍ମାନେ ମଧ୍ୟ ଭୁବନେଶ୍ୱରରେ ତାତି ଏବଂ ଅତ୍ୟଧିକ ଆଦ୍ରତା ଅବସ୍ଥାରେ ସଂଘର୍ଷ କରୁଛନ୍ତି । ଲଗାତାର ଦ୍ୱିତୀୟ ଦିନ ପାଇଁ ଓଡିଶାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ସମୟରେ ଭୂବନେଶ୍ୱରରେ ତାପମାତ୍ରା ୪୪ ଡିଗ୍ରୀ ପାର କରିଛି । ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱରର ଆଖପାଖ ସହରଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦେଇଛି ।
ତେବେ ଏହି ଆନ୍ତଃରାଜ୍ୟ ଚାମ୍ପିୟନସିପ୍ ପ୍ରଥମେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଜୁଲାଇ ୱିଣ୍ଡୋରେ ରାଞ୍ଚିରେ ହେବାର ଥିଲା । କିନ୍ତୁ ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆର (ଓସିଏ) ଜୁଲାଇ ୧୫ ସୁଦ୍ଧା ‘ହାଙ୍ଗଜୋ ଏସିଆଡ୍’ ପାଇଁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ସ୍କ୍ୱାଡର ପୁରା ତାଲିକା ଘୋଷଣା ପାଇଁ ଜିଦ୍ ପରେ ଏହି ଇବେଣ୍ଟକୁ ଏକ ମାସ ପୁର୍ବରୁ ଭୁବନେଶ୍ୱରରେ ଆୟୋଜନ କରାଯାଇଛି । ଫଳରେ ଆଥଲେଟ୍ମାନେ ଲଜିଷ୍ଟିକ୍ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।