fbpx
BSKY SKY
BSKY SKY

WTC Final 2023: ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ, ଭାରତୀୟ ବୋଲରଙ୍କ ବୋଲିଂ ଫିକା

BSKY

ନୂଆଦିଲ୍ଲୀ: ଆଜିଠାରୁ ଲଣ୍ଡନର ଓଭାଲ ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟଟିସି) । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ପାଇଁ ଆଜି ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଦୁଇ ମିନିଟ ଧରି ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସମସ୍ତ ଖେଳାଳି ନିଜର ବାହୁରେ ଏକ କଳା ବ୍ୟାଣ୍ଡ ପିନ୍ଧି ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଆହତଙ୍କ ଆଶୁ ରୋଗ୍ୟ କାମନା କରିଥିଲେ ।

ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର ୨ ରନରେ ତା’ର ପ୍ରଥମ ୱିକେଟ ହରାଇଥିଲା । ଉସମାନ ଖ୍ୱାଜାଙ୍କୁ ଶୂନ୍ୟରେ ଆଉଟ୍ କରି ପାଭିଲିୟନ ପଠାଇଥିଲେ ଭାରତୀୟ ପେସର ମହମ୍ମଦ ସିରାଜ । ଏହାପରେ ୭୧ ରନରେ ଡେଭିଡ ୱାର୍ଣ୍ଣର ଶାର୍ଦୁଳ ଠାକୁରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ତା’ପରେ ମାର୍ଣ୍ଣସ ଲାବୁସ୍କାଗ୍ନେଙ୍କୁ ଭାରତୀୟ ପେସର ମହମ୍ମଦ ସାମି ବୋଲ୍ଡ କରିଦେଇଥିଲେ । ମାତ୍ର ଏହାପରେ ଷ୍ଟିଭେନ ସ୍ମିଥ (୯୫) ଓ ଟ୍ରାଭିସ ହେଡ୍ (୧୪୬) ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଷ୍ଟ୍ରେଲିଆ ପ୍ରଥମ ଦିନରେ ଦୃଢ଼ ସ୍ଥିତିରେ ପହଞ୍ଚିବାରେ ସକ୍ଷମ ହୋଇ ପାରିଥିଲା । ଦଳ ୮୫ ଓଭରରେ ମାତ୍ର ୩ଟି ୱିକେଟ ହରାଇ ୩୨୭ ରନ୍ ସଂଗ୍ରହ କରିଥିଲା । ଭାରତୀୟ ବୋଲରଙ୍କ ମଧ୍ୟରୁ ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଶାର୍ଦୁଳ ଠାକୁର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ସ୍ମିଥ ଓ ହେଡଙ୍କ ପାର୍ଟନରଶିପ ଭାଙ୍ଗିବା ଭାରତୀୟ ବୋଲରଙ୍କ ପାଇଁ କଷ୍ଟସାଧ୍ୟ ଥିଲା । ଫଳରେ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ପହଞ୍ଚି ପାରିଥିଲା । ଆସନ୍ତାକାଲି ଯଦି ଟିମ୍ ଇଣ୍ଡିଆ ଉଚ୍ଚକୋଟୀର ପ୍ରଦର୍ଶନ କରି ଶୀଘ୍ର ୱିକେଟ ଅକ୍ତିଆର କରେ, ତେବେ ହୁଏତ ଦଳକୁ କିଛିଟା ସୁଫଳ ମିଳିପାରେ ।

Get real time updates directly on you device, subscribe now.