fbpx

ଅକ୍ଟୋବର ମାସରେ ନିଲାମ ହେବ ରାଜ୍ୟର ବଡ଼ମ୍ବା ଚିନିକଳ: ଋଣ ପରିଶୋଧ କରି ନପାରିବାରୁ ନିଆଗଲା ବଡ଼ ନିଷ୍ପତ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୮୨ ମସିହାରେ ୪୮୯୧ ଜଣ ଚାଷୀଙ୍କୁ ନେଇ ପଞ୍ଜିକୃତ ହୋଇଥିବା ବଡ଼ମ୍ବା ସମବାୟ ଚିନିକଳ ନିଲାମ ହୋଇଯିବ । ବର୍ଷ ବର୍ଷ ଧରି ବନ୍ଦି ରହିଥିବା ଏହି କମ୍ପାନୀ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁମ୍ବାଇ ନରିମାନ ପଏଣ୍ଟ ବ୍ରାଞ୍ଚରୁ ୩୬୯ କୋଟିରୁ ଅଧିକ ଟଙ୍କାର ଲୋନ୍ ଆଣିଥିଲା । ତେବେ ଲୋନ୍ ପରିଶୋଧ କରି ନପାରିବାରୁ ଚିନିକଳକୁ ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ଆସନ୍ତା ଅକ୍ଟୋବର ମାସ ୧୩ ତାରିଖରେ ବଡ଼ମ୍ବା ଚିନିକଳ ନିଲାମ ହେବ । ଦିନ ୧୨ଟାରୁ ୧ଟା ସମୟରେ ଏହି ନିଲାମ କରାଯିବ । ଇସ୍ତାହାରରେ ସମ୍ପତ୍ତିର ସର୍ବନିମ୍ନ ମୂଲ୍ୟ ୧୫ କୋଟିରୁ ଅଧିକ ରହିଥିବା ବେଳେ ଅମାନତ ରାଶି ୭୫ ଲକ୍ଷରୁ ଅଧିକ ରହିଛି । ଦୀର୍ଘ ୨୩ ବର୍ଷ ଧରି ଚିନିକଳ ବନ୍ଦ ରହିବା ଫଳରେ ହଜାର ହଜାର ଚାଷୀ ବେରୋଜଗାର ହୋଇ ପଡ଼ିଛନ୍ତି ।

ପଞ୍ଜିକୃତ ସମୟରେ କମ୍ପାନୀର ଅଂଶଧନ ବାବଦରେ ୮ କୋଟିରୁ ଅଧିକ ଅର୍ଥ ଆଦାୟ ହୋଇଥିବା ବେଳେ ୧୩୩ ଏକରର ଜମି ଅଧିଗ୍ରହଣ କରାଯାଇଥିଲା । ଏହାପରେ ୧୯୮୯ ମସିହାରେ ଚିନିକଳ କାର୍ଯ୍ୟକ୍ଷମ ହୋଇଥିଲା । ୨ ଜଣ ନିଲାମଧାରୀ ଚିନିଶିଳ୍ପ ନିଲାମରେ ଅଂଶଗ୍ରହଣ କରିଥିଲେ । ତେବେ ଚିନିକଳ ବନ୍ଦ ହୋଇଯିବା କାରଣରୁ ଚାଷୀମାନେ ସର୍ବସ୍ୱାନ୍ତ ହୋଇପଡ଼ିଥିଲେ । ଚିନିକଳ କାର୍ଯ୍ୟକ୍ଷମ ହୋଇଥିବା ସମୟରେ କଟକ ଜିଲ୍ଲାର ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳର ଅନେକ ଲୋକ ସେଠାରେ କାମ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ ।

Get real time updates directly on you device, subscribe now.