ବୈପାରିଗୁଡ଼ା: ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ରାଜୁତି ବୃଦ୍ଧି ପାଉଥିବାବେଳେ ବୈପାରିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଘଞ୍ଚ ଜଙ୍ଗଲ ଭିତରୁ ବସ୍ତା ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ଉକ୍ତ ସ୍ଥାନରେ କେହି ନଥିବାରୁ ପୋଲିସ କାହାକୁ ଗିରଫ କରିନଥିବା ଜଣାପଡ଼ିଛି ।
ବୈପାରିଗୁଡ଼ା ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଜଙ୍ଗଲରେ ଗଞ୍ଜେଇ ଚୋରାଚାଲାଣ ବିଷୟରେ ଥାନା ଏସଆଇଙ୍କୁ ଖବର ଦେଇଥିଲେ । ଏହା ପରେ ଥାନା ଏସଆଇ କୃଷ୍ଣ ଚନ୍ଦ୍ର ସେଠୀ ଏବଂ ଏଏସଆଇ ମତିସିଂହ ନାୟକ ଓ ପୋଲିସ କର୍ମଚାରୀଙ୍କ ଏକ ଟିମ୍ ଗଠନ କରି ବିଳମ୍ବ ନ କରି ଘଟଣାସ୍ଥଳରେ ପହଂଚିଥିଲେ । ଉକ୍ତ ଟିମ୍ ବୈପାରିଗୁଡ଼ା ଥାନା ଅନ୍ତର୍ଗତ କୋଲାର ଓ କାଠପଡ଼ା ପଂଚାୟତର ମଝି ଅଂଚଳ ତଥା ଟାଙ୍ଗିନିଗୁଡ଼ା କାଠପଡ଼ା ମଝିରେ ପଡୁଥିବା ବେଦାଅଟାଳ ଗାଁ ପାଖ ଜଙ୍ଗଲ ଭିତରେ ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲ ନିକଟ ଏକ ବୁଦାଳିଆ ସ୍ଥାନରୁ ୪୧୪ କିଲୋ ଗଞ୍ଜଇ ଜବତ କରିଥିଲେ । ତେବେ ଏହି ଗଞ୍ଜେଇ ବସ୍ତା ସବୁ ବାହାରକୁ ଚୋରାଚାଲାଣ ପାଇଁ ରଖାଯାଇଥିବା ସନ୍ଦେହ କରାଯାଉଛି । ବିଭାଗୀୟ ସୂଚନା ଅନୁସାରେ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଏହି ଜଙ୍ଗଲରୁ ଗତ କିଛି ମାସ ତଳେ ସମାନ ଭାବରେ ଧଳା ରଙ୍ଗର ବସ୍ତା ସବୁ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ କରାଯିବାରୁ ଗଞ୍ଜେଇ ଗଚ୍ଛିତ ଥିବା ଜଣାଯାଇଥିଲା ।