ନୂଆଦିଲ୍ଲୀ: ବାହାଘର, ପୂଜା ହେଉ କି ଅନ୍ୟ କୌଣସି ଉତ୍ସବ… ଏଣିକି ରାଜଧାନୀରେ ବାଣ ଫୁଟାଇବା ସମ୍ଭବ ନୁହେଁ । ବର୍ଷ ତମାମ ବାଣ ଫୁଟାଇବା ଏକ ଅପରାଧରେ ଗଣା ହେବ । ବାଣ ଫୁଟାଇଲେ ଲାଗିବ ଜରିମାନା, ନିଆଯିବ କାର୍ଯ୍ୟାନୁଷ୍ଠାନ । ସହରର କୌଣସି କୋଣରେ ବି ବାଣ ଫୁଟାଇବା ଉପରେ ରୋକ ଲଗାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ ଆଦେଶ ଜାରି ହୋଇଛି । ଏହି ନିର୍ଦ୍ଦେଶ ସମ୍ପର୍କରେ ସୁପ୍ରିମକୋର୍ଟରେ ମଧ୍ୟ ସୂଚନା ଦିଆଯାଇଛି । ରାଜଧାନୀ ଦିଲ୍ଲୀରେ ଏଭଳି ଏକ କଡ଼ା ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ।
ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଆଜି ଏକ ବଡ଼ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଏଣିକି ବର୍ଷସାରା ଦିଲ୍ଲୀରେ ବାଣ ଫୁଟାଇବା ଉପରେ ବ୍ୟାନ୍ ରହିବା ନେଇ ଆଦେଶ ଜାରି କରିଛନ୍ତି ଆତିଶୀ ସରକାର । ଏହାପୂର୍ବରୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ବାଣ ଉପରେ ରୋକ ଲଗାଇଥିଲେ ସରକାର । କିନ୍ତୁ ନୂଆ ରିପୋର୍ଟ ଅନୁସାରେ, ଏଣିକି ବର୍ଷତମାମ ଦିଲ୍ଲୀରେ ବାଣ ବିକ୍ରି ଏବଂ ଏହାର ବ୍ୟହାର ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।
ବର୍ତ୍ତମାନ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ଅଧା ରହିଛି। ଦୁଇ ଦିନ ପୂର୍ବେ ଦିଲ୍ଲୀ-NCRରେ ଗ୍ରେପ -୪ ପୁଣିଥରେ କାର୍ଯ୍ୟକାରୀ କରାଯାଇଥିଲା। ଦିନସାରା ଆକାଶରେ କୁହୁଡି ରହିଥାଏ, ଯେଉଁଥିପାଇଁ ଲୋକମାନେ ଶ୍ୱାସ ରୋଗ ଏବଂ ଅନ୍ୟାନ୍ୟ ରୋଗର ସମ୍ମୁଖୀନ ହେଉଛନ୍ତି । ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଷ୍ଟଲ ଜଳିବା ଘଟଣା ପ୍ରଦୂଷଣ ପାଇଁ ଦାୟୀ ହୋଇଥିବା ବେଳେ ବାଣ ଫୁଟାଇବା ଦ୍ୱାରା ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଛି । ନିଷେଧାଦେଶ ସତ୍ତ୍ୱେ ଦିୱାଲୀରେ ସେଲିବ୍ରେସନ ଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ସହ ସହରର ଜଳବାୟୁ ମଧ୍ୟ ବହୁତ ଖରାପ ହୋଇଛି । ତେଣୁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦିଲ୍ଲୀ ସମେତ ସମଗ୍ର NCRରେ ବାଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ଏବଂ ହରିୟାଣା ସରକାରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଏକ ବେଞ୍ଚ କହିଛନ୍ତି ଯେ, ଦିଲ୍ଲୀ ସରକାର ତୁରନ୍ତ ପ୍ରଭାବ ସହିତ ବର୍ଷସାରା ଅନଲାଇନ୍ ମାଧ୍ୟମରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ତଥା ଯୋଗାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି।