ସ୍ୱାମୀ ନା ରାକ୍ଷାସ… ଗର୍ଭବତୀ ସ୍ତ୍ରୀର ହାଡ଼ ଗୋଡ଼ ଭାଙ୍ଗି ଲିଭର ଚିରିଦେଲା, ପୋଷ୍ଟମର୍ଟମ ରିପୋର୍ଟ ଉଡ଼ାଇଦେଲା ହୋସ୍
ମଦ ପିଇ ସ୍ୱାମୀ ବନିଗଲା ରାକ୍ଷସ । ସ୍ତ୍ରୀର ହାତ ଗୋଡ଼ ଭାଙ୍ଗି ଲିଭର ଚିରି ଦେଲା । ପେଟରେ ଥିବା 5 ମାସର ଝିଅର ମଧ୍ୟ ମୃତ୍ୟୁ ହେଲା...
ଲକ୍ଷ୍ନୌ: ବରେଲି ଜିଲ୍ଲାର ଭୂତ ଥାନା ଅଞ୍ଚଳର ମଗରାସା ଗାଁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମପାଲ ନାମକ ଜଣେ ଯୁବକ ମଦ ପିଇ ତାଙ୍କ 25 ବର୍ଷୀୟା ଗର୍ଭବତୀ ସ୍ତ୍ରୀ ସୁମନଙ୍କୁ ଏତେ ନିର୍ମମ ଭାବରେ ବାଡ଼ିରେ ପିଟିଛନ୍ତି ଯେ, ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। କେବଳ ସୁମନ ନୁହେଁ, ତାଙ୍କ ଗର୍ଭରେ ଥିବା ପାଞ୍ଚ ମାସର ଶିଶୁକନ୍ୟାର ମଧ୍ୟ ମୃତ୍ୟୁ ହୋଇଛି।
ଡାକ୍ତରମାନେ ମୃତକଙ୍କ ପୋଷ୍ଟମର୍ଟମ କରିବା ସମୟରେ ଏହି ଯନ୍ତ୍ରଣାଦାୟକ ହତ୍ୟାର ସତ୍ୟ ସାମ୍ନାକୁ ଆସିଥିଲା। ସ୍ୱାମୀ ସୋମପାଲଙ୍କ ନିଷ୍ଠୁରତା ବିଷୟରେ ଯିଏ ଶୁଣୁଛି, ସେ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଭାବିବାକୁ ବାଧ୍ୟ ହେଉଛନ୍ତି ଯେ, ଜଣେ ଏତେ ନିଷ୍ଠୁର କେମିତି ହୋଇପାରେ?
କ୍ୟୋଲଡିଆ ଥାନା ଅଞ୍ଚଳର ମର୍ଗାପୁର ଗ୍ରାମର ବାସିନ୍ଦା ସୁମନଙ୍କ ବାପା ପୂର୍ଣ୍ଣଲାଲ କହିଛନ୍ତି ଯେ, ତାଙ୍କ ଝିଅ ପାଞ୍ଚ ବର୍ଷ ପୂର୍ବେ ସୋମପାଲଙ୍କ ସହ ବିବାହ କରିଥିଲା। ପ୍ରଥମେ ସବୁକିଛି ଠିକ୍ ଥିଲା, କିନ୍ତୁ ବିବାହର କିଛି ମାସ ପରେ ସୋମପାଲ ସୁମନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଲେ। ସେ ମଦ ପିଇବାପରେ ପ୍ରାୟତଃ ତାଙ୍କୁ ମାରୁଥିଲେ ଏବଂ ଯୌତୁକ ପାଇଁ ଏକ ଲକ୍ଷ ଟଙ୍କା ଆଣିବାକୁ ଚାପ ପକାଉଥିଲେ।
ସେ ତାଙ୍କ ଦିବ୍ୟାଙ୍ଗ ଶାଶୁଙ୍କ ସମ୍ମୁଖରେ ତାଙ୍କ ଜୀବନ ବଞ୍ଚାଇବାକୁ ନିବେଦନ କରିଥିଲେ
ଘଟଣା ଦିନ ରାତିରେ, ସୋମପାଲ ମଦ ପିଇ କରି ଘରକୁ ଆସି ପ୍ରଥମେ ସୁମନଙ୍କ ସହ ଝଗଡା କରିଥିଲେ । ତା’ପରେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ସୁମନ ତାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଦିବ୍ୟାଙ୍ଗ ଶାଶୁ କାମେଶ୍ୱରୀ ଦେବୀଙ୍କ ପାଖରେ ପହଞ୍ଚି କହିଥିଲେ, “ମାଆ ମୋତେ ବଞ୍ଚାଅ, ସେ ମୋତେ ମାରିଦେବେ” । କିନ୍ତୁ ସୋମପାଲ ସେଠାରେ ମଧ୍ୟ ପହଞ୍ଚିଗଲେ। ସେ ତାଙ୍କ ମାଆଙ୍କୁ ବାହାରକୁ ଠେଲି ଦେଇଥିଲେ ଏବଂ ଶୌଚାଳୟରେ ବନ୍ଦ କରିଦେଇଥିଲେ। ଏହା ପରେ ସେ ସୁମନକୁ ଘର ଭିତରକୁ ନେଇ ବାଡ଼ିରେ ନିସ୍ତୁକ ପିଟିଲେ। ଗାଁ ଲୋକ ଏବଂ ପାଖରେ ରହୁଥିବା ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଚୁପ୍ ରହିଲେ। କେହି ସୁମନଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ ନାହିଁ। ଶେଷରେ ଘଟଣାସ୍ଥଳରେ ହିଁ ସୁମନଙ୍କ ମୃତ୍ୟୁ ହୋଇଥିଲା ।
ପୋଷ୍ଟମର୍ଟମ ରିପୋର୍ଟରେ ଏହି ନିଷ୍ଠୁରତା ପ୍ରକାଶ ପାଇଲା
ପୋଷ୍ଟମର୍ଟମ କରୁଥିବା ଦଳ ମଧ୍ୟ ମୃତଦେହର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ରିପୋର୍ଟରେ ପ୍ରକାଶିତ ହେଲା ଯେ ସୁମନଙ୍କ ଉଭୟ ହାତ ଏବଂ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା। ଲିଭର ଫାଟି ଯାଇଥିଲା। ଏହା ସହିତ, ତାଙ୍କ ଗର୍ଭରେ ବଢ଼ୁଥିବା 5 ମାସର ଝିଅର ବି ମୃତ୍ୟୁ ହୋଇଥିଲା। ପୋଲିସ ଅଭିଯୁକ୍ତ ସୋମପାଲଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା, ହତ୍ୟା ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି ।