ଆଜିଠୁ ଅଳିଆ ପାଇଁ ବେଙ୍ଗାଲୁରୁରେ ଲାଗୁ ହେବ TAX, BBMPର ଆବର୍ଜନା ପରିଚାଳନା ଫି’କୁ ନେଇ ଜୋରଦାର ଚର୍ଚ୍ଚା
ଆବର୍ଜନା କର ଦେବାକୁ ପ୍ରସ୍ତୁତ, କିନ୍ତୁ ଏକ ସ୍ୱଚ୍ଛ ବେଙ୍ଗାଲୁରୁ ଚାହୁଁଛୁ କହିଲେ ସ୍ଥାନୀୟ ବାସିନ୍ଦା ।
ନୂଆଦିଲ୍ଲୀ: ୧ ଏପ୍ରିଲରୁ ବେଙ୍ଗାଲୁରୁରେ ରହିବା ମହଙ୍ଗା ହେବାକୁ ଯାଉଛି । ଏବେ ୧ ଏପ୍ରିଲରୁ, ଘରୋଇ ଅଳିଆ ସଂଗ୍ରହ ଏବଂ ନିଷ୍କାସନ ଶୁଳ୍କ ମଧ୍ୟ ପ୍ରଚଳିତ ସମ୍ପତ୍ତି ଟିକସ ବିଲ୍ ଉପରେ ଲାଗୁ ହେବ । ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ବ୍ୟବହାରକାରୀ ଶୁଳ୍କ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଛି ।
ବେଙ୍ଗାଲୁରୁ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ଲିମିଟେଡ୍ (BSWML) ଗତ ବର୍ଷ ନଭେମ୍ବରରେ ଏହି ଶୁଳ୍କ ପ୍ରସ୍ତାବ ଦେଇଥିଲା, ଯାହାକୁ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନେତୃତ୍ୱାଧୀନ ନଗର ଉନ୍ନୟନ ବିଭାଗ ଅନୁମୋଦନ କରିଛି ।
ବେଙ୍ଗୁଲୁରୁରେ ବର୍ଜ୍ୟବସ୍ତୁ ପାଇଁଁ ଫି- କର୍ଣ୍ଣାଟକ ସରକାର ନୂତନ ଶୁଳ୍କକୁ ଅନୁମୋଦନ କରିଛନ୍ତି, ଯାହା ଗତ ନଭେମ୍ବରରେ ବେଙ୍ଗାଲୁରୁ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ଲିମିଟେଡ୍ (BSWML) ଦ୍ୱାରା ପ୍ରସ୍ତାବିତ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ମଞ୍ଜୁର କରାଯାଇଛି । ଏହା ବାର୍ଷିକ ପ୍ରାୟ 600 କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି, ଯାହା ଦ୍ୱାରା ଅଧିକ ରାଜସ୍ୱ ପାଇବାର ସମ୍ଭାବନା ରହିଛି ।
ଏହି ଶୁଳ୍କ ସମ୍ପତ୍ତି କରରେ ଅନ୍ତର୍ଭୁକ୍ତ ହେବ ଏବଂ ନିର୍ମିତ କ୍ଷେତ୍ର ଉପରେ ଆଧାର କରି ଭିନ୍ନ ହେବ, 600 ବର୍ଗଫୁଟରୁ କମ୍ ସମ୍ପତ୍ତି ପାଇଁ ମାସିକ 10 ଟଙ୍କାରୁ 4,000 ବର୍ଗଫୁଟରୁ ଅଧିକ ପ୍ରୋପଟି ପାଇଁ ମାସିକ 400 ଟଙ୍କା ପର୍ଯ୍ୟନ୍ତ ହାର ରହିବ ।
ବଲ୍କ ଓ୍ବେଷ୍ଟ ଜେନେରେଟର ପ୍ରଭାବ- ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ଏବଂ ଅଫିସ୍ କୋଠା ଭଳି ଆବର୍ଜନା ସୃଷ୍ଟିକାରୀ ପାଇଁ, ସରକାର ପ୍ରତି କିଲୋଗ୍ରାମ ଅପ୍ରକ୍ରିୟାକୃତ ଅବର୍ଜନା ପାଇଁ 12 ଟଙ୍କା ଆଦାୟ କରିବେ । ଯଦି ସେମାନେ ଅନୁମୋଦିତ ଏଜେନ୍ସି ବ୍ୟବହାର କରନ୍ତି ନାହିଁ । ଏହା ହାଉସିଂ ସୋସାଇଟି ଏବଂ ବାଣିଜ୍ୟିକ ୟୁନିଟ୍ ପାଇଁ କାର୍ଯ୍ୟକ୍ଷମ ଖର୍ଚ୍ଚ ବୃଦ୍ଧି କରିପାରେ ।
ସ୍ବଚ୍ଛତା ଦାବି କରୁଛନ୍ତି ସ୍ଥାନୀୟ ବାସିନ୍ଦା- ଜଣେ ବାସିନ୍ଦାଙ୍କ କହିବା ଅନୁସାରେ, ମୁଁ ଆବର୍ଜନା କର ଦେବାକୁ ପ୍ରସ୍ତୁତ, କିନ୍ତୁ ମୁଁ ପ୍ରତିବଦଳରେ ଏକ ସ୍ୱଚ୍ଛ ବେଙ୍ଗାଲୁରୁ ଆଶା କରେ। ମନ୍ତ୍ରୀ ଏବଂ ଅମଲାମାନେ ନିଶ୍ଚିତ କରିବା ଉଚିତ ଯେ ପାଣ୍ଠି ସ୍ୱଚ୍ଛ ଭାବରେ ଖର୍ଚ୍ଚ ହୁଏ ଏବଂ ଅପବ୍ୟବହାର ନ ହୁଏ ।