fbpx

ସ୍ପଷ୍ଟ କଲା BCCI: ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ଟି ମ୍ୟାଚ ଖେଳିବେନି ବିରାଟ

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଜଣଙ୍କ ପରେ ଜଣେ ଖେଳାଳି ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଭାରତୀୟ ଟିମ୍ ପାଇଁ ଯେଉଁ ଡର ରହିଥିଲା ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ ଖେଳିନଥିବା ବେଳେ ଏବେ ସେ ପରବର୍ତ୍ତୀ ୩ଟି ମ୍ୟାଚରେ ଖେଳିବେ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ)କୁ ସୂଚନା ଦେଇଥିବା ଜଣାପଡ଼ିଛି । ଏ ବାବଦରେ ବିସିସିଆଇ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି ।

ଗତ ୯ ତାରିଖରେ ସିଲେକ୍ସନ କମିଟିର ଏକ ବୈଠକ ବସିଥିବା ବେଳେ ସେ ପରବର୍ତ୍ତୀ ୩ଟି ମ୍ୟାଚରେ ଖେଳିବେ ନାହିଁ ବୋଲି ବିରାଟ କହିଥିଲେ । ତେବେ ଆଗାମୀ ମ୍ୟାଚଗୁଡ଼ିକରେ ବିରାଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଯିବା ପରେ ଏବେ ବିସିସିଆଇ ନୂଆ ଖେଳାଳିଙ୍କ ସନ୍ଧାନ କରିବ । ଇଂଲଣ୍ଡ ବିପକ୍ଷ ସିରିଜ ଏବେ ୧-୧ରେ ବରାବର ରହିଥିବା ବେଳେ ଏହି ସିରିଜ୍ ଜିତିବା ପାଇଁ ଭାରତକୁ କଡ଼ା ସଂଘର୍ଷ କରିବାକୁ ପଡ଼ିବ ।

ସୂଚନା ଯୋଗ୍ୟ ଯେ, ବ୍ୟକ୍ତିଗତ ସମସ୍ୟା କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ ବାଦ୍ ପଡ଼ିଥିଲେ । ସେହିପରି ଆଘାତ ଜନିତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡ଼େଜା ଓ କେଏଲ ରାହୁଲ ଖେଳି ପାରିନଥିଲେ । ରାହୁଲ ଏବେ ଫିଟ ହୋଇ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସାର୍ ଜାଡ଼େଜାଙ୍କ ସ୍ଥିତିକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଶ୍ରେୟସ ଆୟରଙ୍କ ପିଠିରେ ଯନ୍ତ୍ରଣା ହେଉଥିବାରୁ ସେ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.