ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଜାତୀୟ କ୍ରୀଡ଼ା ବିଲର ଅଧୀନରେ ଆସିବ, ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀ ମଙ୍ଗଳବାର, ଜୁଲାଇ ୨୨ ତାରିଖରେ ସୂଚନା ଦେଇଛନ୍ତି। ଏହି ବିଲରେ ପ୍ରଶାସକଙ୍କ ବୟସ ସୀମା ୭୦ରୁ ବୃଦ୍ଧି କରି ୭୫ ବର୍ଷ କରିବାର ନିୟମ ରହିଛି।
ବିସିସିଆଇ ସଭାପତି ରୋଜର ବିନ୍ନୀ ଗତ ଶନିବାର, ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପହଞ୍ଚିଛନ୍ତି, ଯାହା ଦ୍ୱାରା ସେ ବୟସ ସୀମା ଅନୁଯାୟୀ ପଦ ଛାଡ଼ିବାକୁ ପଡ଼ିଥାନ୍ତା। କିନ୍ତୁ ଜାତୀୟ କ୍ରୀଡ଼ା ବିଲ ଲାଗୁ ହେବା ପରେ ବିସିସିଆଇ ଜାତୀୟ କ୍ରୀଡ଼ା ଫେଡେରେସନ (ଏନଏସଏଫ) ଭାବେ ଏହାର ଅଧୀନରେ ଆସିବ।
କ୍ରୀଡ଼ା ବିଲରେ ବୟସ ସୀମା ସମ୍ପର୍କରେ କ’ଣ ରହିଛି?
ପିଟିଆଇ ପାଖରେ ଥିବା ଡ୍ରାଫ୍ଟ କ୍ରୀଡ଼ା ବିଲ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନାମାଙ୍କନ ତାରିଖରେ ୬୯ ବର୍ଷ ୩୬୪ ଦିନରେ ଥାଆନ୍ତି ଏବଂ କୌଣସି ପଦ ପାଇଁ ନିର୍ବାଚିତ ହୁଅନ୍ତି, ତେବେ ବିଲ ଲାଗୁ ହେବା ପରେ ସେ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ୭୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବେ।
ବିଲରେ ଉଲ୍ଲେଖ ରହିଛି: “କୌଣସି ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା କିମ୍ବା କାର୍ଯ୍ୟନିର୍ବାହୀ କମିଟିରେ ନାମାଙ୍କନ ପାଇଁ ଯୋଗ୍ୟ ହେବେ ନାହିଁ, ଯଦି ସେ ଆନ୍ତର୍ଜାତୀୟ ଚାର୍ଟର, ନିୟମାବଳୀ ଓ ବୟସ ଓ କାର୍ଯ୍ୟକାଳ ସମ୍ପର୍କିତ ନିୟମ ପାଳନ ନକରନ୍ତି। ତେବେ, ନାମାଙ୍କନର ଶେଷ ତାରିଖରେ ବ୍ୟକ୍ତିଙ୍କ ବୟସ ୭୦ ବର୍ଷରୁ ଅଧିକ ହେବା ଉଚିତ ନୁହେ। କିନ୍ତୁ ୭୦ରୁ ୭୫ ବର୍ଷ ବୟସରେ ଥିବା ବ୍ୟକ୍ତି ଆନ୍ତର୍ଜାତୀୟ ନିୟମ ଓ ବାଇ-ଲଜ ଅନୁଯାୟୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଏବଂ ନିର୍ବାଚିତ ହେଲେ ପୂର୍ଣ୍ଣ କାର୍ଯ୍ୟକାଳ କାର୍ଯ୍ୟ କରିପାରିବେ।”
ଏହାର ଅର୍ଥ, ଚଳିତ ବର୍ଷ ଅଗଷ୍ଟରେ ବିଲ ଲାଗୁ ହେବା ପରେ ରୋଜର ବିନ୍ନୀ ବିସିସିଆଇ ସଭାପତି ଭାବେ ଫେରିପାରିବେ ଏବଂ ଅତି କମରେ ଆଉ ତିନି ବର୍ଷ କିମ୍ବା ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ଦାୟିତ୍ୱ ତୁଲାଇପାରିବେ। ଏହା ପୂର୍ବରୁ ଏହା ଆଶା କରାଯାଉଥିଲା ଯେ, ବିସିସିଆଇ ଉପ-ସଭାପତି ରାଜୀବ ଶୁକ୍ଳା ବିନ୍ନୀଙ୍କ ସ୍ଥାନ ନେବେ।