ନୂଆଦିଲ୍ଲୀ: ଆଜିକାଲି ସମୟରେ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ରଖିବା ଏକ ସାଧାରଣ କଥା । ଅନେକ ଲୋକ ବେତନ ପାଇଁ ଏବଂ ସେଭିଙ୍ଗ ପାଇଁ ଅଲଗା ଅଲଗା ବ୍ୟାଙ୍କରେ ଆକାଉଣ୍ଟ ରଖିଥାନ୍ତି । କିନ୍ତୁ ଏବେ ଏହା ଗ୍ରାହକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଗୋଟିଏରୁ ଅଧିକ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଗ୍ରାହକଙ୍କ ଉପରେ ଜରିମାନା ଲାଗୁ ହୋଇପାରେ । ଏ ନେଇ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକାଧିକ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଜରିମାନା ଲାଗୁ କରିବା ପାଇଁ ରିଜର୍ଭ ବ୍ୟାଙ୍କ ତରପରୁ ଘୋଷଣା ହୋଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।
ପ୍ରେସ ଇନଫରମେସନ ବ୍ୟୁରୋର ଏକ୍ସ ହ୍ୟାଣ୍ଡେଲରେ ଏଭଳି ଏକ ପୋଷ୍ଟକୁ ନେଇ ସୂଚନା ଦିଆଯାଇଛି । ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ଏହି ପୋଷ୍ଟର ସତ୍ୟତା ବିଷୟରେ ସୂଚନା ଦେଇଛି ପିଆଇବି । ଭାଇରାଲ ହେଉଥିବା ଏହି ପୋଷ୍ଟରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶଶିକାନ୍ତ ଦାସଙ୍କୁ ନେଇ କୁହାଯାଉଛି ଯେ, ‘ଦୁଇଟି ବ୍ୟାଙ୍କରେ ଖାତା ରଖିଥିବା ଗ୍ରାହକଙ୍କ ଉପରେ ଜରିମାନା ଲାଗୁ କରାଯିବ ।’ ଏହାପରେ କୁହାଯାଇଛି ଯେ, “RBI Banking Rule: ଦୁଇଟି ବ୍ୟାଙ୍କରେ ଖାତା ରଖିଥିଲେ ରିଜର୍ଭ ବ୍ୟାଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏ ନେଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଗାଇଡଲାଇନ୍ ଜାରି କରିଛନ୍ତି ।”
⚠️ Fake News Alert
कुछ आर्टिकल में यह भ्रम फैलाया जा रहा है कि भारतीय रिजर्व बैंक की नई गाइडलाइंस के अनुसार, अब एक से अधिक बैंक में खाता रखने पर जुर्माना लगाया जाएगा।#PIBFactCheck
▶️ @RBI ने ऐसी कोई गाइडलाइन जारी नहीं की है।
▶️ ऐसे फर्जी खबरों से सावधान रहें! pic.twitter.com/2xUVZoe3lI
— PIB Fact Check (@PIBFactCheck) December 8, 2024
ତେବେ ସୋସିଆଲ ମିଡିଆରେ ଦାବି ହେଉଥିବା ଏହି ପୋଷ୍ଟକୁ ଗୁଜବ ବୋଲି କହିଛି ପିଆଇବି । ପୋଷ୍ଟରେ କୁହାଯାଇଛି ଯେ, କିଛି ପୋଷ୍ଟରେ ଏଭଳି ଭ୍ରମାତ୍ମକ ମେସେଜକୁ ପ୍ରଚାର କରାଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗାଇଡଲାଇନରେ ଏକାଧିକ ଆକାଉଣ୍ଟ ଥିବା ୟୁଜରଙ୍କ ଉପରେ ଜରିମାନା ଲାଗୁ କରାଯିବ ବୋଲି କୁହାଯାଉଛି । ତେଣୁ ଏଭଳି ଖବର ପ୍ରତି ସାବଧାନ ରହିବାକୁ ଅନୁରୋଧ କରିଛି ପିଆଇବି । ରିଜର୍ଭ ବ୍ୟାଙ୍କ ତରଫରୁ ଏଭଳି କୌଣସି ଘୋଷଣା କରାଯାଇ ନାହିଁ ।