ନୀତି କରିବା ବଦଳରେ ଲୁଚିଲେ ସେବାୟତ, ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରାରେ ଅଘଟଣ
ଘଣ୍ଟେ ବିଳମ୍ବରେ ଆରମ୍ଭ ହେଲା ପହଣ୍ଡି ନୀତି । ୫୦ରୁ ଅଧିକ ଲୋକ ଆହତ ।
ଭୁବନେଶ୍ୱର: ବୁଧବାର ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡ଼ାଯାତ୍ରାରେ ଘଟିଛି ବଡ଼ ଅଘଟଣ । ବାହୁଡ଼ା ଯାତ୍ରାରେ ବାଘୁଆ ମହୁମାଛିଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ରାମେଶ୍ୱର ମନ୍ଦିରରେ ବାହୁଡ଼ା ନୀତି ପାଇଁ ସେବାୟତ ପ୍ରସ୍ତୁତ ହେଉଥିବାବେଳେ ପରିସରରେ ଥିବା ଓସ୍ତଗଛ ମହୁ ଫେଣାକୁ କେହି ଟେକା ମାରି ଦେଇଥିଲା ।
ଯାହାଫଳରେ ହଜାର ହଜାର ସଂଖ୍ୟାରେ ମହୁମାଛି ଫେଣାରୁ ବାହାରି ଆସିଥିଲେ । ସେଠାରେ ଉପସ୍ଥିତ ଲୋକଙ୍କୁ ଦଂଶନ କରିଥିଲେ । ମହୁମାଛିଙ୍କ ଆକ୍ରମଣକୁ ବରଦାସ୍ତ ନ କରିପାରି ସେବାୟତମାନେ ଠାକୁରଙ୍କ ନୀତିକୁ ଅଧାରେ ଛାଡ଼ି ପ୍ରାଣ ବିକଳରେ ଦୌଡ଼ିଥିଲେ ।
ଡ୍ୟୁଟିରେ ଥିବା ପୋଲିସ ଓ ଦର୍ଶନ କରିବାକୁ ଆସିଥିବା ଭକ୍ତ ସମସ୍ତେ ମହୁମାଛି ଡଙ୍କର ଶିକାର ହୋଇଥିଲେ । ମହୁମାଛି ଭୟରେ ମାତ୍ର ୫ ମିନିଟରେ ମନ୍ଦିର ବେଢ଼ା ଶୂନ୍ୟ ହୋଇଯାଇଥିଲା ।
ମହୁମାଛିଙ୍କ ଆତଙ୍କ ପାଇଁ ବାହୁଡ଼ା ନୀତିରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଥିଲା । ଅନ୍ୟପଟେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଜଣ ଆୟତ ହୋଇଛନ୍ତି ।