fbpx

IPL 2022: କେଉଁ ଦଳ ମଧ୍ୟରେ ଖେଳାଯିବ ଆଇପିଏଲ 2022ର ଉଦଘାଟନୀ ମ୍ୟାଚ୍ ?

ନୂଆଦିଲ୍ଲୀ: ଆଇପିଏଲ 2022 ମାର୍ଚ୍ଚ 26ରୁ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ରିପୋର୍ଟ ଅନୁଯାୟୀ, ଉଦଘାଟନୀ ମ୍ୟାଚ୍ ଗତ ଟୁର୍ଣ୍ଣାମେଣ୍ଟର ଦୁଇ ଫାଇନାଲିଷ୍ଟଙ୍କ ମଧ୍ୟରେ ହେବ। ଅର୍ଥାତ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଉପ ବିଜେତା କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚଳିତ ସିଜିନର ପ୍ରଥମ ମ୍ୟାଚ୍ ଖେଳାଯିବ। ଆଇପିଏଲ 2021ର ଫାଇନାଲ୍ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ କୋଲକାତା ନାଇଟ୍ ରାଇଡର୍ସକୁ 27 ରନରେ ହରାଇଥିଲା।

ଆଇପିଏଲର 15ତମ ସଂସ୍କରଣରେ 70 ମ୍ୟାଚ୍ ଖେଳାଯିବ। ଏଥିରୁ 55 ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡେ, ବ୍ରାବୋର୍ଣ୍ଣ, ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ ଏବଂ ବାକି 15 ମ୍ୟାଚ୍ ପୁଣେରେ ଖେଳାଯିବ। ମହାରାଷ୍ଟ୍ର ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁଯାୟୀ, କୁର୍ଲା କମ୍ପ୍ଲେକ୍ସ ଏବଂ ଠାଣେର ଦାଦୋଜି କୋଣ୍ଡାଦେବ ଷ୍ଟାଡିୟମକୁ ଦଳଗୁଡିକର ଅଭ୍ୟାସ୍ ପାଇଁ ରଖାଯିବ।

ମ୍ୟାଚର ସ୍ଥାନ, ଅଭ୍ୟାସ୍ ଗ୍ରାଉଣ୍ଡ ଏବଂ ଦଳର ହୋଟେଲ୍  ମଧ୍ୟରେ ଯାତ୍ରାର ଦୂରତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବିସିସିଆଇକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଆଶ୍ଵାସନ ଦେଇଛି। ଏପରିକି ଦଳଗୁଡିକର ଯିବା ଆସିବା ପାଇଁ ସ୍ଵତନ୍ତ୍ର କରିଡର ବ୍ୟବସ୍ଥା କରାଯିବ। ଏନେଇ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଏବଂ ବିସିସିଆଇ ମଧ୍ୟରେ ବୈଠକ ହୋଇ ସାରିଛି।

ବୈଠକରେ ମହାରାଷ୍ଟ୍ରର ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ନାରଭେକର କହିଛନ୍ତି, ଆଇପିଏଲରେ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଷ୍ପତ୍ତି ନେବେ। କୁହାଯାଉଛି ସରକାର ମାତ୍ର 25 ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଇ ପାରନ୍ତି। ଏଥିସହ ରାଜ୍ୟ ସରକାର ଟୁର୍ଣ୍ଣାମେଣ୍ଟ ପାଇଁ ଆରଟି ପିସିଆର ଟେଷ୍ଟ କରିବା ଏବଂ ବାୟୋ ବବଲ ସୃଷ୍ଟି କରିବାରେ ସାହାଯ୍ୟ କରିବେ।

Get real time updates directly on you device, subscribe now.