fbpx

ଦୁଃଖ ଖବର: ‘ବେୱଫା ସନମ’ ଫିଲ୍ମର ଅଭିନେତା କୃଷ୍ଣ କୁମାରଙ୍କ ୨୦ ବର୍ଷୀୟା ଝିଅ ଟିଶାଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବଲିଉଡ ଫିଲ୍ମ ‘ବେୱାଫା ସନମ’ରେ ଅଭିନୟ କରିଥିବା କୃଷ୍ଣ କୁମାରଙ୍କ ୨୦ ବର୍ଷୀୟା ଝିଅ ଟିଶା କୁମାରଙ୍କ ପରଲୋକ ଘଟିଛି । ଅଭିନେତା-ପ୍ରଯୋଜକ କୃଷ୍ଣଙ୍କ ଝିଅ ଟିଶା କ୍ୟାନସରରେ ପୀଡ଼ିତ ହୋଇ ଜୁଲାଇ ୧୮ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଗତ କିଛିଦିନ ଧରି ଟିଶା କ୍ୟାନସର ସହ ଲଢ଼େଇ କରୁଥିଲେ । ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଟିଶା ଜର୍ମାନୀରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଦୁଇମାସ ପରେ ଟିଶା ନିଜର ୨୧ତମ ଜନ୍ମଦିନ ପାଳନ କରିଥାନ୍ତେ । ମାତ୍ର ଏଭଳି ଏକ ଖୁସିର ଦିନ ଆସିବା ପୂର୍ବରୁ ଟିଶାଙ୍କ ଜୀବନର ଜୀବନ ଦୀପ ସବୁଦିନ ପାଇଁ ଲିଭି ଯାଇଛି ।

ଟିଶାଙ୍କ ବିୟୋଗ ନେଇ ଦେଶର ସର୍ବବୃହତ ମ୍ୟୁଜିକ ଓ ଫିଲ୍ମ ପ୍ରଡକ୍ସନ କମ୍ପାନୀ ଟି-ସିରିଜ ପକ୍ଷରୁ ଅଫିସିଆଲ ଭାବେ ଏକ ବୟାନ ଜାରି କରାଯାଇଛି । କୃଷ୍ଣ କୁମାରଙ୍କ କନ୍ୟା ଟିଶା କୁମାର ଏକ ବିମାରୀ ସହ ଦୀର୍ଘ ସମୟ ଧରି ଲଢ଼େଇ କରିବା ପରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ବୋଲି କମ୍ପାନୀର ପ୍ରବକ୍ତା କହିଛନ୍ତି । କୃଷ୍ଣ କୁମାର ହେଉଛନ୍ତି ଟି-ସିରିଜର ପ୍ରତିଷ୍ଠାତା ଗୁଲସନ କୁମାରଙ୍କ ସାନ ଭାଇ । କୃଷ୍ଣ କେବଳ ୫ଟି ଫିଲ୍ମରେ କାମ କରିଥିଲେ । ୧୯୯୫ରେ ରିଲିଜ୍ ହୋଇଥିବା ‘ବେବଫା ସନମ’ ବହୁତ ହିଟ୍ ସାବ୍ୟସ୍ତ ହୋଇଥିଲା ଓ ସେ ଫିଲ୍ମର ଗୀତ ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । କୃଷ୍ଣ କୁମାର ଓ ପତ୍ନୀ ତାନ୍ୟା ସିଂହଙ୍କ କନ୍ୟା ଥିଲେ ଟିଶା । ଟିଶା ଅନେକ ସମୟରେ ଟି-ସିରିଜର ଫିଲ୍ମର ସ୍କ୍ରିନିଂରେ ଦେଖାଯାଉଥିଲେ । ଗତବର୍ଷ ନଭେମ୍ବର ୩୦ରେ ରିଲିଜ୍ ହୋଇଥିବା ରଣବୀର କପୁର ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଆନିମଲ’ର ସ୍କ୍ରିନି ବେଳେ ଟିଶାଙ୍କୁ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.