fbpx

ବିଦ୍ୟୁତ୍‌ ତାର ବିଛାଇ ବାରହା ଶିକାର କରୁଥିବା ଅଭିଯୋଗ: ୨ ଶିକାରୀ ଗିରଫ, ବାଇକ୍‌ ଜବତ

ଯୋଡା (ଭାସ୍କର ନ୍ୟୁଜ୍‌) : ବଡବିଲ ରେଞ୍ଜ ଅନ୍ତର୍ଗତ ବଳିତା ଗ୍ରାମର ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ବିଛାଇ ବାରହା ଶିକାର କରୁଥିବା ଅଭିଯୋଗରେ ସୋମବାର ବନବିଭାଗ ୨ଜଣ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରୁଗୁଡି ଥାନା ଅନ୍ତର୍ଗତ ରୋଇଡା କ୍ୟାମ୍ପ ହଟିଂ ଅଞ୍ଚଳର ସଲିମ ଓରାମ ଓ ଅନିଲ ମୁଣ୍ଡା ।

ବନବିଭାଗର ସୂଚନା ଅନୁଯାୟୀ ଏହି ବାରହା ଶିକାର କରିବା ପାଇଁ ସେମାନେ ରାତିରେ ଲୁହା ତାର ବିଛାଇ ୧୧ କେଭି ବିଦ୍ୟୁତ୍‌ ସଂଯୋଗ କରି ରଖିଥିଲେ । ରାତିରେ ଏହି ତାର ସଂସ୍ପର୍ଶରେ ଆସି ଗୋଟିଏ ବାରହାର ମୃତ୍ୟୁ ଘଟିଥିଲା । ପରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯିବାରୁ ବନବିଭାଗ ଏହାର ଅନୁସନ୍ଧାନ କରିଥିଲା । ବଡବିଲ ରେଞ୍ଜ ଅଧିକାରୀ ସଞ୍ଜିବ ରାଉତ ଓ ଅନ୍ୟ ବନ କର୍ମଚାରୀମାନେ ତୁରନ୍ତ ଏହି ସଂରକ୍ଷିତ ଜଙ୍ଗଲରେ ଚଢାଉ କରିଥିଲେ । ଫଳରେ ଘଟଣାସ୍ଥଳରୁ ବାରହାର ମୃତ୍ୟୁଦେହକୁ ଜବତ କରାଯିବା ସହିତ ଶିକାରୀମାନେ ବ୍ୟବହାର କରିଥିବା ଲୁହା ତାର, ଇନସୁଲେଟରକୁ ଜବତ କରିଥିଲେ । ତେବେ ଏହି ଦୁଇ ଶିକାରୀ ଏକ ମୋଟରସାଇକେଲରେ ଅନୁସନ୍ଧାନ କରିବାକୁ ଘଟଣାସ୍ଥଳକୁ ଆସିଥିବା ବେଳେ ସେମାନଙ୍କୁ ବନ ବିଭାଗ କାବୁ କରିନେବା ସହ ବ୍ୟବହୃତ ମୋଟରସାଇକେଲକୁ ମଧ୍ୟ ଜବତ କରିଛି । ଏବଂ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର ଦିନ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ, କେତେକ ବ୍ୟକ୍ତି ବାରହା ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟର ବିଭିନ୍ନ ସ୍ଥାନରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ବିଛାଇ ରଖୁଥିବା ବେଳେ ଏହା ସଂସ୍ପର୍ଶରେ ଆସି ବିଭିନ୍ନ ଜୀବଜନ୍ତୁ, ଗାଈ, ଗୋରୁ, ହାତୀ ମଧ୍ୟ ଟଳିପଡୁଥିବା ନଜିର ରହିଛି । ଏହିପରି ଗତ କିଛି ମାସ ପୂର୍ବେ ଗୁରୁବେଡାଠାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଏକକାଳୀନ ୨ଟି ହାତୀର ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଅଞ୍ଚଳ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

Get real time updates directly on you device, subscribe now.