ସୈଫଙ୍କ ପାଇଁ ଆଉ ଏକ ସମସ୍ୟା: ୧୫,୦୦୦,୦୦୦୦୦୦ ଟଙ୍କାର ସମ୍ପତ୍ତି ହେବ ଜବତ! ଜବାବ ଦେବାକୁ ପହଞ୍ଚିଲେନି ଅଭିନେତା
ଭୋପାଳରେ ଥିବା ସୈଫ୍ ଅଲ୍ଲୀ ଖାନଙ୍କ ଜମି ଜବତ ହୋଇପାରେ । ଏ ନେଇ ହାଇକୋର୍ଟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସ୍ଥଗିତାଦେଶ ପ୍ରତ୍ୟାହାର କରାଯାଇଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ...
ଭୋପାଳ: ସୈଫ ଅଲ୍ଲୀ ଖାନଙ୍କ ପାଇଁ ସମସ୍ୟା ଥମିିବାର ନାଁ ନେଉନାହିଁ । ନିକଟରେ ଅଭିନେତାଙ୍କ ଉପରେ ତାଙ୍କ ନିଜ ବାସଭବନରେ ଆକ୍ରମଣ ହୋଇଥିଲା । ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାବେଳେ ଏବେ ତାଙ୍କ ସମ୍ପତ୍ତି ଉପରେ ଆଉ ଏକ ସମସ୍ୟା ଉପୁଜିଛି । ମଧ୍ୟପ୍ରଦେଶ ସରକାର ଏବେ ନବାବ ପଟୌଦିଙ୍କ ଉତ୍ତରାଧିକାରୀ ସୈଫ୍ ଅଲ୍ଲୀ ଖାନଙ୍କ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନିଜ ଅଧୀନକୁ ନେଇପାରନ୍ତି ।
ପ୍ରକୃତରେ ଭୋପାଳ ରାଜ୍ୟର ଐତିହାସିକ ଭୂମିରେ ଶତ୍ରୁ ସମ୍ପତ୍ତି ମାମଲାରେ ଗତ ୧୦ ବର୍ଷ ଧରି ଥିବା ସ୍ଥଗିତାଦେଶ ବା ଷ୍ଟେ ଏବେ ଶେଷ ହୋଇଛି । ଜବଲପୁର ଅଭିନେତା ଏବଂ ତାଙ୍କ ପରିବାରକୁ ସମ୍ପତ୍ତି ଉପରେ ଦାବି କରିବା ପାଇଁ ୩୦ ଦିନ ସମୟ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ, କିନ୍ତୁ ବର୍ତ୍ତମାନ ସେହି ସମୟ ସୀମା ସମାପ୍ତ ହୋଇଯାଇଛି ।
କୋର୍ଟଙ୍କ ନିର୍ଦ୍ଦେଶ : ସୈଫ ଅଲ୍ଲୀ ଖାନଙ୍କ ସମ୍ପତ୍ତିକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଶତ୍ରୁ ସମ୍ପତ୍ତି ମାମଲା ଚାଲିଛି । ଏହି ମାମଲାରେ ହାଇକୋର୍ଟ ଅଭିନେତା ସୈଫ ଅଲ୍ଲୀ ଖାନ, ତାଙ୍କ ମାଆ ଶର୍ମିଲା ଟାଗୋର, ଭଉଣୀ ସୋହା ଏବଂ ସାବି ଅଲ୍ଲୀ ଖାନ ଏବଂ ପଟୌଦିଙ୍କ ଭଉଣୀ ସବିହା ସୁଲତାନଙ୍କୁ ଶତ୍ରୁ ସମ୍ପତ୍ତି ମାମଲାରେ ଆପିଲେଟ୍ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସେମାନଙ୍କର ପକ୍ଷ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
୩୦ ଦିନର ପୂର୍ଣ୍ଣ ଅବଧି ବିତିଯିବା ପରେ ମଧ୍ୟ ପରିବାରର କୌଣସି ସଦସ୍ୟ ସମ୍ପତ୍ତି ଉପରେ ସେମାନଙ୍କର ଦାବି ଉପସ୍ଥାପନ କରିନଥିଲେ । ଏପରି ପରିସ୍ଥିତିରେ ରାଜ୍ୟ ସରକାର ଜମି ଜବତ କରିପାରିବେ ।
ତେବେ ସୈଫ ଅଲ୍ଲୀ ଖାନଙ୍କ ପରିବାରର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି କୋହେଫିଜାରୁ ଭୋପାଳର ଚିକଲୋଡ ପର୍ଯ୍ୟନ୍ତ ବ୍ୟାପିଛି । ଏହି ସମ୍ପତ୍ତି ସୈଫ୍ ଅଲ୍ଲୀ ଖାନ ଏବଂ ଶର୍ମିଲା ଟାଗୋରଙ୍କ ପରିବାରର ବୋଲି କୁହାଯାଉଛି । ପଟୌଦି ପରିବାରର ପ୍ରାୟ ୧୦୦ ଏକର ଜମିରେ ଦେଢ଼ ଲକ୍ଷ ଲୋକ ବାସ କରୁଛନ୍ତି । କିନ୍ତୁ ଏହି ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ବର୍ଗରେ ରଖାଯାଇଛି ।
ଶତ୍ରୁ ସମ୍ପତ୍ତି – ଭାରତ-ପାକିସ୍ତାନ ବିଭାଜନ କିମ୍ବା ଭାରତ-ଚୀନ ଯୁଦ୍ଧ ପରେ ଯେଉଁ ଲୋକମାନେ ଭାରତୀୟ ନାଗରିକତା ପରିତ୍ୟାଗ କରିଥିଲେ । ସେହି ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ଭାବରେ ଗଣନା କରାଯାଏ । ଭୋପାଳ ରାଜ୍ୟର ନବାବ ହମିଦୁଲ୍ଲା ଖାନଙ୍କ ବଡ଼ ଝିଅ ଆବିଦା ସୁଲତାନ ପାକିସ୍ତାନ ଯାଇଥିଲେ । ଏହି କାରଣରୁ ପରିବାରର ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ଭାବରେ ରଖାଯାଉଛି । ଏବେ ସରକାରଙ୍କ ପାଇଁ ଏହି ଜମି ଦଖଲ କରିବାର ପଥ ପରିଷ୍କାର ହୋଇଯାଇଛି । ତଥାପି ପଟୌଦି ପରିବାର ପାଖରେ ଏବେ ବି ଡିଭିଜନ ବେଞ୍ଚରେ ମାମଲାକୁ ଚ୍ୟାଲେଞ୍ଜ କରିବାର ବିକଳ୍ପ ରହିଛି ।