fbpx

ମହିଳା ଅଧିକାରୀଙ୍କୁ ଆକ୍ରମଣ ଉଦ୍ୟମ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳା ପୋଲିସଙ୍କୁ ଆକ୍ରମଣ ଉଦ୍ୟମରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ବ୍ୟବହାର କରିଥିବା କାର୍‌କୁ ମଧ୍ୟ ପୋଲିସ ଜବତ କରିଛି । ତିନି ଦିନ ତଳେ ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ନିକଟଠୁ ରିଜର୍ଭ ପୋଲିସ ଗଳିରେ ଅଭିଯୁକ୍ତମାନେ ମହିଳା ଅଧିକାରୀଙ୍କ ଗାଡ଼ିକୁ ଆକ୍ରମଣ ଉଦ୍ୟମ କରିଥିଲେ ।

ସୂଚନା ଅନୁସାରେ ମହିଳା ଅଧିକାରୀ ଜଣକ ଯେତେବେଳେ ଡ୍ୟୁଟି ସାରି ଫେରୁଥିଲେ, ସେହି ସମୟରେ ଏହି ଘଟଣା ଘଟିଥିଲା । କିଛି ଅସାମାଜିକ ଯୁବକ ପ୍ରଥମେ ଅଧିକାରୀଙ୍କ କାର୍ ଆଡ଼କୁ ମାଡ଼ି ଆସିଥିଲେ । ପରେ ସେମାନେ ତାଙ୍କର ପିଛା ମଧ୍ୟ କରିଥିଲେ । ପ୍ରାଣ ବିକଳରେ ମହିଳା ଅଧିକାରୀ ଜଣକ ଯାଇ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପସି ଯାଇଥିଲେ । ଅଭିଯୁକ୍ତମାନେ ସେଠାରେ ମଧ୍ୟ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

ତେବେ ଏହି ଘଟଣା ବିଷୟରେ ମହିଳା ଅଧିକାରୀ ଜଣକ ସହିଦ ନଗର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏବେ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ବ୍ୟବହାର କରିଥିବା ଇନୋଭା କାର୍ ଜବତ କରିବା ସହିତ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ମୁତାବକ ତିନି ଯୁବକ ପେଶାରେ ଡ୍ରାଇଭର ଅଟନ୍ତି । ତିନି ଜଣଙ୍କ ମଧ୍ୟରୁ ଜଣେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ନିକଟରେ ଥିବା ବସ୍ତିରେ ରହୁଥିବା ବେଳେ ଆଉ ଦୁଇଜଣ ଆନନ୍ଦ ବଜାର ନିକଟ ବସ୍ତିରେ ରୁହନ୍ତି। ରାତି ଅଧରେ ନିଶାଗ୍ରସ୍ଥ ଅବସ୍ଥାରେ ଭିଆଇଥିବା କୁହାଯାଉଛି।

Get real time updates directly on you device, subscribe now.