ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ। ଦୁଇଦିନ ପରେ ସେ ତାଙ୍କ ଚାକିରୀରୁ ବିଦାୟ ନେଇଥାନ୍ତେ କିନ୍ତୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ। ଅନୁଗୁଳ ସମେତ କଟକ ଓ ଢେଙ୍କାନାଳରେ ମଧ୍ୟ ଭିଜିଲାନ୍ସର ଚଢ଼ାଉ।

ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କର ଅନୁଗୁଳରେ ଥିବା ବାସଭବନ ସହିତ 4ଟି ସ୍ଥାନରେ ଚଢ଼ାଉ। କେବଳ ଅନୁଗୁଳ ନୁହେଁ,ରାଜ୍ୟର ଅନ୍ୟ 3ଟି ସ୍ଥାନରେ ମଧ୍ୟ ଚଢ଼ାଉ ଚାଲିଛି।

ଭୁବନେଶ୍ୱରରେ ଥିବା ଡୁମୁଡୁମା ଘରୁ 2.5 କୋଟି ଟଙ୍କା ଜବତ ହେବା ସହ ଅନୁଗୁଳ ସ୍ଥିତ ବାସଭବନରୁ 1.3 କୋଟି ନଗଦ ମିଳିଛି। ମୁଖ୍ୟଯନ୍ତ୍ରୀଙ୍କର ଅନୁଗୁଳରେ 2ଟି ବହୁତଳ କୋଠା ଥିବା ସହିତ ଭୁବନେଶ୍ୱର ଓ ପିପିଲିରେ 2ଟି ଫ୍ଲାଟ ଏବଂ 7ଟି ପ୍ଲଟ ଅଛି।

ତା ସହିତ ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ ହୋଇଛି। ସେୟାର ମାର୍କେଟରେ ମଧ୍ୟ 2.7କୋଟିର ଇନଭେଷ୍ଟ ସେ କରିଛନ୍ତି। ଏହି ସବୁ ପୁଳା ପୁଳା ଟଙ୍କାକୁ ଦେଖି ଭିଜିଲାନ୍ସ ତାଜୁବ ହୋଇଥିବା ବେଳେ ଏହି ଚଢ଼ାଉରେ 8ଡ଼ିଏସପି, 12 ଇନ୍ସପେକ୍ଟର ସହିତ 6 ଏଏସଆଇ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି।