ଭୁବନେଶ୍ୱର ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ଓଏଚଆରସି

ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ନିଜ ଆଡୁ ମାମଲା ରୁଜୁ ସହ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଅଭିଯୋଗର ତଦନ୍ତ ବିବରଣୀ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି ।

ତେବେ ଗତକାଲି ପୋଲିସ ହେପାଜତରେ ସନ୍ଧିଗ୍ଧ ପ୍ରଦୀପ ସାହୁଙ୍କ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ମାନବ ସୁରକ୍ଷା ସେଲ୍(ଏଚଆରପିସି)ର ଜଣେ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ପ୍ରଦିପଙ୍କୁ ହାଜତରେ ପୋଲିସ ପିଟିପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ତେଣୁ ଘଟଣାର ସତ୍ୟାସତ୍ୟ ନିମନ୍ତେ ଜାତୀୟ ମାନବ ଅଧିକାର କମିଶନ(ଏନଏଚଆରସି)ଙ୍କ ଗାଇଡଲାଇନ୍ ଅନୁସାରେ ତଦନ୍ତ କରାଯିବ । ପ୍ରଦିପ କେତେବେଳେ ଅସୁସ୍ଥ ଅନୁଭବ କଲେ, ତାଙ୍କୁ କେତେବେଳ ମେଡିକାଲ ନିଆଯାଇଥିଲା ଓ ତାଙ୍କର କିପରି ମୃତ୍ୟୁ ହେଲା ପ୍ରଭୃତି ସଂକ୍ରଙ୍କାନ୍ତରେ ତଦନ୍ତ କରି ରିପୋର୍ଟ ଦେବାକୁ ସମ୍ପୃକ୍ତ ଏଚଆରପିସି ଅଧିକାରୀଙ୍କୁ କୁହାଯାଇଛି ।